ପରମାଣୁ ଅସ୍ତ୍ର ବିଲୋପ ପ୍ରଚାରର ଅଗ୍ରଦୂତ ‘ଆଇସିଏଏନ୍‌’

ଜେନେଭା: ସମ୍ପ୍ରତ ମାନବ ଜାତି ପାଇଁ ସବୁଠୁ ଘାତକ ତଥା ଗଣ ସଂହାରକ ଭାବେ ଉଭା ହୋଇଥିବା ପରମାଣୁ ଅସ୍ତ୍ରର ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ବିଶ୍ୱବ୍ୟାପୀ କାର୍ଯ୍ୟ କରୁଥିବା ସାମୂହିକ ସଂଗଠନ ଆଇସିଏଏନ୍‌ ଚଳିତବର୍ଷ ପାଇଁ ନୋବେଲ ଶାନ୍ତି ସମ୍ମାନ ହାସଲ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ୧୦୧ଟି ଦେଶରେ ୪୬୮ ସହଯୋଗୀ ସଂଗଠନ ଦ୍ୱାରା ଏପରି ଅଭିଯାନ ଚାଲୁ ରଖିଥିବା ଆଇସିଏଏନ୍‌ର ଉତ୍ପତ୍ତି ଏବଂ ଅଭିପ୍ରାୟ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକଙ୍କର ଉତ୍କଣ୍ଠା ରହିବା ସ୍ୱାଭାବିକ।
ବିଶ୍ୱବ୍ୟାପୀ ପରମାଣୁ ଅସ୍ତ୍ର ବିଲୋପ ଚୁକ୍ତିର ସଫଳ ରୂପାୟନ ପାଇଁ କାମ କରୁଥିବା ଆଇସିଏଏନ୍‌ ହେଉଛି ବିଶ୍ୱ ତମାମ ବିଭିନ୍ନ ନାଗରିକ ସମାଜର ଏକ ସାମୂହିକ ସଂଗଠନ। ୧୯୯୭ ମସିହାରେ ଗୃହୀତ ଲ୍ୟାଣ୍ଡ୍‌ମାଇନ୍‌ ବିଲୋପନ ଚୁକ୍ତିର ସଫଳ କାର୍ଯ୍ୟାନ୍ଵୟନରେ ଉତ୍ସାହିତ ହୋଇ ଆଇସିଏଏନ୍‌ର ପ୍ରତିଷ୍ଠାତା ସଦସ୍ୟମାନେ ପରମାଣୁ ଅସ୍ତ୍ରର ଅନୁରୂପ ବିଲୋପନ ପାଇଁ ଏଭଳି ଏକ ଅଭିନବ ଅଭିଯାନର ପରିକଳ୍ପନା କରିଥିଲେ। ଲକ୍ଷ୍ୟ ଥିଲା, ପରମାଣୁ ଅସ୍ତ୍ର ଦ୍ୱାରା ସ୍ୱାସ୍ଥ୍ୟ, ପରିବେଶ ଉପରେ ପଡୁଥିବା ଧ୍ୱଂସାତ୍ମକ ପ୍ରଭାବରୁ ମାନବ ଜାତିକୁ ମୁକୁଳାଇବା ଲାଗି ନିରସ୍ତ୍ରୀକରଣ ଉପରେ ଗୁରୁତ୍ୱ ଦେବା। ତେବେ ଏପରି ପରିକଳ୍ପନା ବାସ୍ତବ ରୂପ ନେବାକୁ ୧୦ ବର୍ଷ ଲାଗିଠାଇଥିଲା।
୨୦୦୬ ସେପ୍ଟେମ୍ବରରେ ଫିନ୍‌ଲ୍ୟାଣ୍ଡ୍‌ର ହେଲସିଙ୍କି ଠାରେ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାମାନଙ୍କର ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ଏପରି ଏକ ପ୍ରସ୍ତାବ ପ୍ରଥମେ ଗୃହୀତ ହୋଇଥିଲା। ତାହା ପର ବର୍ଷ ବିଶ୍ୱସ୍ତରରେ ଆଇସିଏଏନ୍‌ର ଆଭିମୁଖ୍ୟକୁ ପ୍ରଚାର ଓ ପ୍ରସାର କରିବା ଲାଗି ଦୁଇଟି ସମ୍ମିଳନୀ ଆୟୋଜିତ ହୋଇଥିଲା।
୨୦୦୭ ଏପ୍ରିଲ ୨୩ରେ ଆବଶ୍ୟକ ପାଣ୍ଠି ସଂଗ୍ରହ ପାଇଁ ପ୍ରଥମେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଠାରେ ଏକ ଅଭିଯାନ ଆରମ୍ଭ ହୋଇଥିଲା।
୨୦୦୭ ଏପ୍ରିଲ ୩୦ରେ ଭିଏନା ଠାରେ ଆୟୋଜିତ ସମ୍ମିଳନୀରେ ଏପରି ଆହ୍ଵାନକୁ ସମର୍ଥନ କରୁଥିବା ବିଭିନ୍ନ ସଂଗଠନଗୁଡ଼ିକ ଏକତ୍ରିତ ହୋଇଥିଲେ। ପର୍ଯ୍ୟାୟ କ୍ରମେ ଏଥିରେ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର