ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କ ମୃତ୍ୟୁ ଖବର ମିଥ୍ୟା ସାବ୍ୟସ୍ତ ହୋଇଛି। ସେ ସୁସ୍ଥ ଅଛନ୍ତି ଓ ଅଧ୍ୟାପନା କାର୍ଯ୍ୟ ଜାରି ରଖିଛନ୍ତି ବୋଲି ତାଙ୍କ ଝିଅ ନନ୍ଦନା ଦେବଶର୍ମା ସ୍ପଷ୍ଟ କରିଛନ୍ତି ।

Advertisment

ନନ୍ଦନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର)ରେ କହିଛନ୍ତି- "ଏହା ମିଥ୍ୟା ଖବର। କେମ୍ବ୍ରିଜରେ ଆମେ ଆମ ପରିବାର ସହିତ ଏକ ଭଲ ସପ୍ତାହ କାଟିଥିଲୁ । ଗତକାଲି ରାତିରେ ଯେତେବେଳେ ଆମେ ତାଙ୍କୁ ବିଦାୟ ଦେଇଥିଲୁ, ସେ ସବୁଦିନ ଭଳି ଆମକୁ ଆଲିଙ୍ଗନ କରିଥିଲେ। ସେ ହାର୍ଭାର୍ଡରେ ପ୍ରତି ସପ୍ତାହରେ ଦୁଇଟି ପାଠ୍ୟକ୍ରମ ପଢ଼ାଉଛନ୍ତି। ସେ ମଧ୍ୟ ନିଜର ପୁସ୍ତକ ଲେଖା ଜାରି ରଖିଛନ୍ତି । ବାପା ସବୁଦିନ ଭଳି ବ୍ୟସ୍ତ ଅଛନ୍ତି! ”

ଆଶ୍ଚର୍ଯ୍ୟ କଥା ହେଉଛି, ଚଳିତ ବର୍ଷର ନୋବେଲ ବିଜେତା ଆମେରିକୀୟ ପ୍ରଫେସର କ୍ଲାଉଡିଆ ଗୋଲ୍ଡିନ୍ ମଙ୍ଗଳବାର ଅପରାହ୍ନ ୪ଟା ୪୪ମିନିଟରେ ଅମର୍ତ୍ତ୍ୟ ସେନଙ୍କ ଦେହାନ୍ତ ନେଇ ଟୁଇଟ୍ କରିଥିଲେ । ସେ ଟ୍ୱିଟ୍ କରି ଲେଖିଥିଲେ, ମୋର ପ୍ରିୟ ପ୍ରଫେସର ଅମର୍ତ୍ୟ ସେନଙ୍କ ଦେହାନ୍ତ ହୋଇଛି। ଏହା ପରେ ଅମର୍ତ୍ତ୍ୟଙ୍କ ମୃତ୍ୟୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାକୁ ଲାଗିଥିଲା । କିନ୍ତୁ ନନ୍ଦନାଙ୍କ ସ୍ପଷ୍ଟୀକରଣ ପରେ ଗୁଜବର ଅବସାନ ହୋଇଛି । ଅନ୍ୟପକ୍ଷରେ ଯେଉଁ ଏକ୍ସ ଆକାଉଣ୍ଟରୁ କ୍ଲାଉଡିଆ ଟୁଇଟ୍ କରିଥିଲେ ତାହା ତାଙ୍କର ପ୍ରକୃତ ଏକ୍ସ ଆକାଉଣ୍ଟ କି ନାଁ ତାହା ସ୍ପଷ୍ଟ ହୋଇନାହିଁ ।

ଅମର୍ତ୍ୟ ସେନଙ୍କୁ ୧୯୯୮ ରେ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । କଲ୍ୟାଣମୂଳକ ଅର୍ଥନୀତି ଏବଂ ସାମାଜିକ ଚୟନ ସିଦ୍ଧାନ୍ତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୯୯ମସିହାରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।