ପୁରସ୍କାର ଅର୍ଥରାଶି ବଢ଼ିବାରୁ ଏ ବର୍ଷ ନୋବେଲ୍ ବିଜେତାମାନେ ୧,୧୦, ୦୦୦ ଡଲାର୍ ଅଧିକ ପାଇବେ

ଷ୍ଟକ୍‌ହୋମ୍: ଏ ବର୍ଷ ସମ୍ମାନଜନକ ନୋବେଲ୍ ବିଜେତାମାନେ ଅଧିକ ୧ ନିୟୁତ କ୍ରାଉନ୍ (୧,୧୦, ୦୦୦ ଡଲାର୍) ପାଇବେ ବୋଲି ପୁରସ୍କାର ପର୍ଯ୍ୟବେକ୍ଷଣ କରୁଥିବା ଫାଉଣ୍ଡେସନ୍‌ର ମୁଖ୍ୟ ଗୁରୁବାର ଦିନ କହିଛନ୍ତି।

ଦୈନିକ ‘ଡିଗେନ୍‌ସ୍ ଇଣ୍ଡଷ୍ଟ୍ରି’ ରିପୋର୍ଟ କରିଛି ଯେ, ଏ ବର୍ଷ ପୁରସ୍କାର ଅର୍ଥରାଶି ୧୦ ନିୟୁତ କ୍ରାଉନ୍ ବୃଦ୍ଧି ପାଇବ।

‘ଡିଗେନ୍‌ସ୍ ଇଣ୍ଡଷ୍ଟ୍ରି’ ଖବରକାଗଜକୁ ନୋବେଲ୍ ଫାଉଣ୍ଡେସନ୍‌ର ମୁଖ୍ୟ ଲସ୍‌ ହିକେନ୍‌ଷ୍ଟେନ୍ କହିଛନ୍ତି, ପୂର୍ବାପେକ୍ଷା ଆମର ମୂଲ୍ୟ ଓ ପାଣ୍ଠି ସମ୍ପୂର୍ଣ୍ଣ ଭିନ୍ନ ମାର୍ଗରେ ଦୃଢ଼ସ୍ଥିତିରେ ରହିଥିବାରୁ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

୧୯୦୧ରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଲାଗି ଅର୍ଥ ସକାଶ ଡିନାମାଇଟ୍ ଉଦ୍ଭାବକ ଆଲ୍‌ଫ୍ରେଡ୍ ନୋବେଲ୍ ୩୧ ନିୟୁତ କ୍ରାଉନ୍ ରଖିଥିଲେ ଯାହା ଆଜିର ଅର୍ଥ ହିସାବରେ ୧.୮ ବିଲିୟନ୍ କାଉନ୍‌ ହେବ ବୋଲି ଫାଉଣ୍ଡେସନ୍ କହିଛି।

Image Courtesy of India Today

ସମୟାନୁସାରେ ପୁରସ୍କାର ଅର୍ଥରାଶି ପରିବର୍ତ୍ତିତ ‌ହୋଇଛି। ପ୍ରାରମ୍ଭରେ ପୁରସ୍କାର ଅର୍ଥରାଶି ୧୫୦, ୦୦୦ କ୍ରାଉନ୍‌ ଥିବାବେଳେ ୧୯୮୧ରେ ତାହା ୧ ମିଲିୟନ୍ କ୍ରାଉନ୍‌ରେ ପହଞ୍ଚିଥିଲା।

୧୯୮୦ ଏବଂ ୧୯୯୦ ଦଶକରେ ପୁରସ୍କାର ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇ ୨୦୦୦ ମସିହାରେ ୯ ନିୟୁତ କ୍ରାଉନ୍‌ରେ ପହଞ୍ଚିଥିଲା। ତା’ର ବର୍ଷକ ପରେ ପୁରସ୍କାର ଅର୍ଥରାଶି ୧୦ ନିୟୁତ କ୍ରାଉନ୍ ହୋଇଥିଲା।

କିନ୍ତୁ, ୨୦୦୮-୯ରେ ବୈଶ୍ବିକ କ୍ରେଡିଟ୍ ସଙ୍କଟ ଫାଉଣ୍ଡେସନ୍‌ର ବିନିଯୋଗକୁ ପ୍ରଭାବିତ କରିବା ପରେ ଆର୍ଥିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କ୍‌ର ମୁଖ୍ୟ ହିକେନ୍‌ଷ୍ଟେନ୍‌ଙ୍କୁ ଅଣାଯାଇଥିଲା।

୨୦୧୨ରେ ପୁରସ୍କାର ଅର୍ଥରାଶି ୮ ନିୟୁତ କ୍ରାଉନ୍‌କୁ ହ୍ରାସ କରାଯାଇଥିବା ବ‌େଳେ ପୁଣି ୨୦୧୭ରେ ତାହା ୯ ନିୟୁତ କ୍ରାଉନ୍‌କୁ ବୃଦ୍ଧି ପାଇଥିଲା।

ଏ ବର୍ଷ ଶେଷରେ ଫାଉଣ୍ଡେସନ୍‌ରୁ ଓହରି ଯାଉଥିବା ହିକେନ୍‌ଷ୍ଟେନ୍ କହିଛନ୍ତି ସମୟକ୍ରମେ ଫାଉଣ୍ଡେସନ୍ ପୁରସ୍କାର ଅର୍ଥରାଶି ବଢ଼ାଇଚାଲିବ। ହିକେନ୍‌ଷ୍ଟେନ୍‌ଙ୍କ ସ୍ଥାନରେ ନୋବେଲ୍ ଫାଉଣ୍ଡେସନ୍‌ର ମୁଖ୍ୟ ହୋଇ ଆସିବେ ନରୱେର ବୈଦେଶିକ ମନ୍ତ୍ରୀ ବିଦାର୍ ହେଲ୍‌ଜିସେନ୍।

ସମ୍ବନ୍ଧିତ ଖବର