ଏବେ ଆପଣମାନଙ୍କ ଜମି ଉପରେ କେହି ଆଖି ପକାଇ ପାରିବେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘ସ୍ବାମୀତ୍ବ’ ଯୋଜନା ଯୋଗୁଁ ହିତାଧିକାରୀଙ୍କ ସମ୍ପତ୍ତି ଉପରେ ଆଉ କେହି ଆଖି ପକାଇ ପାରିବେ ନାହିଁ ବୋଲି ରବିବାର ଦିନ ‘ସମ୍ପତ୍ତି କାର୍ଡ’ର ପ୍ରତ୍ୟକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଏହି ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜଣେ ନିଜ ଘରର ମାଲିକାନା ପାଇଲେ ତାଙ୍କର ଆତ୍ମ ସମ୍ମାନ ସୁଦୃଢ଼ ହୁଏ। ସେ ନିରାପଦ ଓ ବଳବାନ ମନେକରନ୍ତି।

ସମ୍ପତ୍ତି କାର୍ଡର ପ୍ରତ୍ୟକ୍ଷ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେଉଛି ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ। ଯେଉଁ ଦିନ ଏହାର ଶୁଭାରମ୍ଭ ହେଲା, ସେ ଦିନଟି ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଆଜି ହେଉଛି ଜୟପ୍ରକାଶ ନାରାୟଣ ଏବଂ ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କର ଜନ୍ମବାର୍ଷିକୀ। ଦୁହେଁ ଗ୍ରାମୀଣ ବିକାଶ ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଥିଲେ।

ଏହି ଯୋଜନା ମଧ୍ୟ ଗ୍ରାମବାସୀଙ୍କୁ ଋଣ ନେବାରେ ସହାୟକ ହେବ। ଯଦି ସେମାନଙ୍କ ଜମିଜମାର ଉପଯୁକ୍ତ ଦଲିଲ ଥିବ, କୌଣସି ବ୍ୟାଙ୍କ୍ ଋଣ ଦେବାକୁ ମନା କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ସମ୍ପତ୍ତି ମାଲିକଙ୍କ ଉପକାର ଲାଗି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ କରିଥିବା କାରଣରୁ ଏହି ଯୋଜନାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, ବିଶ୍ବ ଜନସମୁଦାୟର ମାତ୍ର ଏକ ତୃତୀୟାଂଶଙ୍କ ପାଖରେ ସେମାନଙ୍କ ସମ୍ପତ୍ତିର ଦଲିଲ ଅଛି। ମୁଁ ଗ୍ରାମୀଣ ଜନତାଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ଛାଡ଼ି ଦେବିନାହିଁ। ସେମାନଙ୍କୁ ଆତ୍ମନିର୍ଭର କରାଇବା ଲାଗି ମତେ କାମ କରିବାକୁ ପଡ଼ିବ।

Image Courtesy of PrimeTimes.in

ଏହି ଯୋଜନାର ପାଇଲଟ୍‌ ପ୍ରୋଜେକ୍ଟ୍‌ ଉତ୍ତର ପ୍ରଦେଶର ୩୪୬, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଏବଂ କର୍ଣ୍ଣାଟକର ୨ଟି ଗ୍ରାମ ସମେତ ପ୍ରାୟ ୭୬୩ଟି ଗ୍ରାମରେ ପ୍ରବର୍ତ୍ତନ କରାଯାଇଛି।

ଜମି ସମ୍ବନ୍ଧୀୟ ବିବାଦ ହ୍ରାସ କରି ଏବଂ ଜମିଜମାକୁ ବ୍ୟବସ୍ଥାକୁ ଅଧିକ ସରଳ କରି ସଠିକ ଜମି ଦଲିଲ ପ୍ରସ୍ତୁତ କରିବା ହେଉଛି ‘ସର୍ଭେ ଅଫ୍ ଭିଲେଜେସ୍ ଆଣ୍ଡ୍‌ ମ୍ୟାପିଙ୍ଗ୍ ୱିଥ୍ ଇମ୍ପ୍ରୋଭାଇଜ୍‌ଡ୍‌ ଟେକ୍ନୋଲୋଜି ଇନ୍ ଭିଲେଜ୍‌ ଏରିଆ’ (ଏସ୍‌ବିଏଏମ୍‌ଆଇଟିଭିଏ) ବା ‘ସ୍ବାମୀତ୍ବ’ର ଯୋଜନାର ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର