ଉଦ୍ଧବଙ୍କ ଖୋଲା ଚାଲେଞ୍ଜ: ଶିବସେନାର ଧନୁ ଓ ତୀର ଚିହ୍ନକୁ ଆମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ

ମୁମ୍ବାଇ:  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବ ଠାକରେ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଏବଂ ତୀରକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ନ୍ୟାୟପାଳିକା ଉପରେ ମୋର ବିଶ୍ୱାସ ରହିଛି । ଜୁଲାଇ ୧୧ ତାରିଖରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କେବଳ ଶିବସେନା ନୁହେଁ, ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ନିର୍ଣ୍ଣୟ କରିବ ।

ତାଙ୍କ ଉପରେ ଭରସା ରଖିଥିବା ଶିବସେନାର ନେତାମାନଙ୍କୁ ଧନ୍ୟବାଦ ଜଣାଇ ଉଦ୍ଧବ ଠାକରେ କହିଛନ୍ତି ଯେ ଦଳ ଏଭଳି ବିଦ୍ରୋହର ସମ୍ମୁଖୀନ ହେବା ପ୍ରଥମ ଘଟଣା ନୁହେଁ। ବିଧାୟକମାନେ ଆସନ୍ତି ଏବଂ ଯାଆନ୍ତି, କିନ୍ତୁ ଦଳର ଅସ୍ତିତ୍ୱ ଶେଷ ହୁଏ ନାହିଁ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଦାବି କରି ଉଦ୍ଧବ ଠାକରେ କହିଛନ୍ତି କି ଧନୁ ଓ ତୀର ଚିହ୍ନ କେହି ବ୍ୟବହାର କରିପାରିବେ ନାହିଁ। ଏକନାଥ ସିନ୍ଦେଙ୍କ ସମର୍ଥନରେ ବାହାରିଥିବା କର୍ପୋରେଟରମାନେ ତାଙ୍କ ସହ ଯୋଗ ଦେଉଛନ୍ତି। ଶିବସେନା ସାହାଯ୍ୟରେ ଯେଉଁମାନେ ବଡ଼ ହୋଇଛନ୍ତି ସେମାନେ ଚାଲିଯାଇଛନ୍ତି, କିନ୍ତୁ ଯେଉଁମାନେ ସେନାକୁ ବଡ଼ କରନ୍ତି ସେମାନେ ତଥାପି ଆମ ସହିତ ଅଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ କହିଛନ୍ତି, ଦୀର୍ଘ ସମୟ ପରେ ଆପଣ ସମସ୍ତଙ୍କୁ ମାତୋଶ୍ରୀକୁ ସ୍ୱାଗତ । ଆପଣ ସମସ୍ତଙ୍କୁ ସମ୍ମାନର ସହିତ ଏଠାକୁ ଡକାଯାଇଛି ଏବଂ ବିଳମ୍ବ ନ କରି ଆପଣମାନେ ଏଠାକୁ ଆସିଛନ୍ତି ଏବଂ ମୁଁ ନିଶ୍ଚିତ ଯେ ଆପଣ ମଧ୍ୟ ଭବିଷ୍ୟତରେ ଆସିବେ। ମୁଁ ଆପଣଙ୍କୁ ଆଜି ତିନୋଟି ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଡାକିଛି । ପ୍ରଥମ କଥା ହେଲା, ଶିବସେନାର ସଙ୍କେତ ଧନୁ ଓ ତୀର ଆମର, କେହି ଏହାକୁ ଆମଠାରୁ ନେଇ ପାରିବେ ନାହିଁ। ଲୋକମାନେ କେବଳ ଏହାକୁ ପ୍ରଣାମ କରନ୍ତି ନାହିଁ, ସେମାନେ ଦେଖନ୍ତି ଯେ ସେହି ଚିହ୍ନରେ କିଏ ଅଛି।

photo-jansatta

ଶିବସେନା କାହାର ବୋଲି ପ୍ରଶ୍ନରେ ଠାକରେ କହିଛନ୍ତି ଯେ ଶିବସେନା ଏପରି ଦ୍ରବ୍ୟ ନୁହେଁ ଯାହାକୁ କେହି ନେଇ ପାରିବେ।  ଗୋଟିଏ ଥର ଆମର କେବଳ କେବଳ ଜଣେ ବିଧାୟକ ଥିଲେ, ଯଦି ସେ ଯାଇଥାନ୍ତେ ତେବେ ଦଳ ସମାପ୍ତ ହୋଇଥାନ୍ତା କି? ନା ଦଳ ସମାପ୍ତ ହୁଏ ନାହିଁ । ବିଧାୟକମାନେ ଦଳ ଛାଡି ଯାଇପାରିବେ, କିନ୍ତୁ ଦଳ ଯାଇପାରିବ ନାହିଁ। ମୁଁ ଲୋକମାନଙ୍କୁ କହିବାକୁ ଚାହେଁ ଯେ ଆପଣମାନେ ଏହି ଭ୍ରମରେ ରହିବା ଅନୁଚିତ କି ବିଧାନସଭା ଦଳ ଅଲଗା ଏବଂ ପଞ୍ଜୀକୃତ ଦଳ ଅଲଗା । ଟଙ୍କା ଆଧାରରେ ବର୍ତ୍ତମାନ ଅନେକ ଘଟଣା ଘଟୁଛି କିନ୍ତୁ ଶିବସେନା ପାର୍ଟିକୁ କେହି ନେଇ ପାରିବେ ନାହିଁ । ଆଜି ବି ଆମ ସହିତ ଥିବା ୧୫ରୁ ୧୬ ବିଧାୟକ ରହିଛନ୍ତି। ଲୋଭ, ଧମକ ଦିଆଯିବା ସତ୍ୱେ ସେମାନେ ଯାଇ ନଥିଲେ। ଏହିପରି କର୍ମୀଙ୍କ ପାଇଁ ଆମେ ଶକ୍ତିଶାଳୀ ।

ବିଦ୍ରୋହୀ ବିଧାୟକଙ୍କୁ ଆକ୍ଷେପ କରି ଉଦ୍ଧବ ଠାକରେ କହିଛନ୍ତି ଯେ, ଆପଣ ବର୍ତ୍ତମାନ ଠାକରେ ପରିବାରକୁ ଅପମାନିତ କରିଥିବା ଲୋକଙ୍କ ସହ ବସିଛନ୍ତି।

ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ। ଏହାପରେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର