ନୂଆଦିଲ୍ଲୀ: କେହି ଯେପରି ଖାଲି ପେଟରେ ନ ଶୁଏ, ତାହା ନିଶ୍ଚିତ କରିବା ଆମ ସଂସ୍କୃତି ରହିଆସିଛି । ଏଣୁ ଦେଶରେ ଯେପରି କୌଣସି ବ୍ୟକ୍ତି ଖାଲି ପେଟରେ ନ ଶୁଏ ତାହା କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଦିଆଯାଉଥିବା ଖାଦ୍ୟଶସ୍ୟ ଯେପରି ସବୁ ଗରିବଙ୍କ ପାଖରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ ଏମ ଆର ଶାହା ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ପ୍ରବାସୀ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସଂଖ୍ୟା ସମ୍ବଳିତ ନୂଆ ତଥ୍ୟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମହାମାରୀ ଓ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ଭୋଗ କରିଥିବା ଦୁର୍ଦ୍ଦଶା ସଂପର୍କିରେ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
"ଏନଏଫଏସଏ ଅଧୀନରେ ଖାଦ୍ୟଶସ୍ୟ ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ । ଆମେ କହୁନାହୁଁ ଯେ କେନ୍ଦ୍ର କିଛି କରୁନାହିଁ, ଭାରତ ସରକାର କୋଭିଡ ସମୟରେ ଲୋକଙ୍କୁ ଖାଦ୍ୟଶସ୍ୟ ସୁନିଶ୍ଚିତ କରିଥିଲେ । ଏବେ ଆମକୁ ଦେଖିବାକୁ ପଡିବ ଯେ ଏହା ଯେପରି ଜାରି ରହିବ । ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଆମର ସଂସ୍କୃତି ।“ ଖଣ୍ଡପୀଠ କହିଛନ୍ତି ।