ବେଜିଂ: କରୋନା ଭାଇରସ୍‌ ଏବେ ଚୀନ୍‌ରେ ଅତି ଭୟଙ୍କର ରୂପ ଧାରଣ କରିଛି। ଭାଇରସ୍‌ ଯୋଗୁଁ କେବଳ ଫେବ୍ରୁଆରି ୧୨ ତାରିଖରେ ଗୋଟିଏ ଦିନରେ ଚୀନ୍‌ରେ ୨୫୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୧୫୨ ଜଣ ଭାଇରସ୍‌ ଆକ୍ରାନ୍ତ ‌ହୋଇଥିବା ସ୍ପ‌ଷ୍ଟ ହୋଇଛି। କେବଳ ହୁୱେଇ ପ୍ରଦେଶରେ ‌ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪,୮୪୦ ଜଣଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଛି। ଚୀନ୍‌ରେ ୬୦,୦୦୦ ଲୋକ ଭାଇରସ୍‌ ଆକ୍ରାନ୍ତ ଥିବା ସରକାରୀ ଭାବେ କୁହାଯାଇଛି। ଏଥିସହ ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁସଂଖ୍ୟା ୧୩୦୦ ଟପିଛି। ଚୀନ୍‌ ବ୍ୟତୀତ ୨୫ରୁ ଅଧିକ ଦେଶରେ ୫୭୬ ଜଣ ଭାଇରସ୍‌ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଚୀନ୍‌ରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଚୀନ୍‌ ଏହାର କିଛି ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଥିବା ଜଣାପଡ଼ିଛି। ଜାପାନ୍‌ରେ ମଧ୍ୟ କରୋନା ଭାଇରସ୍‌ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ଜାପାନ ଗୃହ ମନ୍ତ୍ରୀ ଏନେଇ ତଥ୍ୟ ରଖିଛନ୍ତି। ଜଣେ ୮୦ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ‌ହୋଇଥିବା ଜାପାନ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ପୂର୍ବରୁ ହଂକଂ ଏବଂ ଫିଲିପାଇନ୍ସରେ କରୋନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

ଜଣେ ଜାପାନ ନାଗରିକଙ୍କ ମୃତ୍ୟୁ, ପୋର୍ଟେବଲ୍‌ ଡିଟେକ୍‌ସନ୍‌ ସିଷ୍ଟମ୍‌ ଆରମ୍ଭ

Advertisment

କରୋନା ବ୍ୟାପୁଥିବାରୁ ଚୀନ୍‌ ବିଶେଷଜ୍ଞମାନେ ଭାଇରସ୍‌ ଚିହ୍ନଟ ପାଇଁ ଏକ ପୋର୍ଟେବଲ୍‌ ଡିଟେକସନ୍‌ ସିଷ୍ଟମ୍‌ ଆରମ୍ଭ କରିଛନ୍ତି। ଏକ ବିଶେଷଜ୍ଞ ଟିମ୍‌ ଦ୍ବାରା ଏହି ‌ଡିଟେକସନ୍‌ ସିଷ୍ଟମ୍‌ ଆରମ୍ଭ ହୋଇଛି। ଏହା ଖୁବ୍‌ ଶୀଘ୍ର ସନ୍ଦିଗ୍ଧଙ୍କଠାରେ ଭାଇରସ୍‌ ଚିହ୍ନଟ କରିବା ସହ ଆଗୁଆ ମଧ୍ୟ ସଚେତନ କରାଇ ପାରିବ। ଏବେ ସାର୍‌ସ-ସିଓଭି-୨ ନାମରେ ନାମିତ ହୋଇଥିବା କରୋନା ଭାଇରସ୍‌ ବିଶ୍ବବ୍ୟାପୀ ମାଡ଼ିଚାଲିଛି। ହଂକଂରେ ୫୧ ଜଣ ଭାଇରସ୍‌ ଆକ୍ରାନ୍ତ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମକାଓରେ ୧୦ ଜଣ ଭାଇରସ୍‌ ଆକ୍ରାନ୍ତ ଥିବା ବେଳେ ସିଙ୍ଗାପୁରରେ ୫୦, ଥାଇଲାଣ୍ଡ୍‌ରେ ୩୩, ଦକ୍ଷିଣ କୋରିଆରେ ୨୮, ମଲେସିଆରେ ୧୮, ତାଇୱାନ୍‌ରେ ୧୮, ଭିଏତନାମରେ ୧୬, ଅଷ୍ଟ୍ରେଲିଆରେ ୧୪, ଜର୍ମାନୀରେ ୧୪, ଆମେରିକାରେ ୧୪, ଫ୍ରାନ୍ସରେ ୧୧, ବ୍ରିଟେନ୍‌ରେ ୮, ୟୁଏଇରେ ୮, କାନାଡ଼ାରେ ୭, ଫିଲିପାଇନ୍ସ‌ରେ ୩, ଭାରତରେ ୩, ଇଟାଲି‌ରେ ୩, ରୁଷ୍‌ରେ ୨, ସ୍ପେନ୍‌ରେ ୨, ବେଲ୍‌ଜିୟମରେ୧, ନେପାଳରେ ୧, ଶ୍ରୀଲଙ୍କାରେ ୧, ସ୍ବିଡେନ୍‌ରେ ୧, କାମ୍ବୋଡିଆରେ ୧ ଏବଂ ଫିନ୍‌ଲାଣ୍ଡ୍‌ରେ ଜ‌ଣେ ଭାଇରସ୍ ଆକ୍ରାନ୍ତ ଅଛନ୍ତି।