ମୁମ୍ବାଇ: ରତନ ଟାଟାଙ୍କ ଉତ୍ତରାଧିକାରୀ ତାଙ୍କ ସାବତ ଭାଇ ନୋଏଲ ଟାଟା ହୋଇଛନ୍ତି। ୬୭ ବର୍ଷୀୟ ନୋଏଲଙ୍କୁ ଟାଟା ଟ୍ରଷ୍ଟ୍ସର ଉତ୍ତରାଧିକାରୀଭାବେ ନିଯୁକ୍ତି ଦିଆଯାଇଛି। ନୋଏଲ ଟାଟା ଏବେ ଟାଟା ଗ୍ରୁପ୍ର ଅନେକ କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଛନ୍ତି। ଟାଟା ଗ୍ରୁପ୍ରେ କାର୍ଯ୍ୟ କରିବାର ୪ ଦଶନ୍ଧିର ଅଭିଜ୍ଞତା ତାଙ୍କ ନିକଟରେ ରହିଛି। ତାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍ କମ୍ପାନିଗୁଡ଼ିକ ବିଶେଷ ସଫଳତା ହାସଲ କରିଛନ୍ତି। ଟାଟା ଟ୍ରଷ୍ଟ୍ସ ପକ୍ଷରୁ ଆଜି ଜାରି ଏକ ବିବୃତିରେ କୁହାଯାଇଛି ଯେ, ନୋଏଲ ନବଲ ଟାଟାଙ୍କୁ ବିଭିନ୍ନ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି। ତାଙ୍କ ନିଯୁକ୍ତିକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି। ଟାଟା ଟ୍ରଷ୍ଟ୍ସ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ନୋଏଲ ଟାଟା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସହଯୋଗୀ ଟ୍ରଷ୍ଟିମାନେ ତାଙ୍କୁ ଦାୟିତ୍ବ ଅର୍ପଣ କରିଥିବାରୁ ସେମାନଙ୍କ ନିକଟରେ ସେ ଗଭୀରଭାବେ ସମ୍ମାନିତ ଏବଂ ବିନୀତ ବୋଲି ନୋଏଲ କହିଛନ୍ତି। ରତନ ଏନ୍ ଟାଟା ଏବଂ ଟାଟା ଗ୍ରୁପ୍ର ପ୍ରତିଷ୍ଠାତାମାନଙ୍କ ଲିଗାସିକୁ ସେ ଆଗକୁ ବଢ଼ାଇବେ ବୋଲି କହିଛନ୍ତି।
ଟାଟା ଟ୍ରଷ୍ଟ୍ସର ଅଧ୍ୟକ୍ଷ ନିଯୁକ୍ତ
ଟାଟା ଗ୍ରୁପ୍ର ଲିଗାସିକୁ ଆଗକୁ ନେବି: ନୋଏଲ
ବହୁ ବର୍ଷ ପୂର୍ବେ ସ୍ଥାପନ ହୋଇଥିବା ଟାଟା ଟ୍ରଷ୍ଟ୍ସ ସମାଜରେ ବିଭିନ୍ନ ଭଲ କାର୍ଯ୍ୟ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏଭଳି ପବିତ୍ର ଉତ୍ସବରେ ଆମେ ଆମର ବିକାଶମୂଳକ ଏବଂ ଜନକଲ୍ୟାଣ କାର୍ଯ୍ୟକୁ ଆଗକୁ ନେବା ଏବଂ ଦେଶ ଗଠନରେ ଅଂଶ ଗ୍ରହଣ ଧାରା ଜାରି ରଖିବା ପାଇଁ ଆମେ ପୁନଃ ଉତ୍ସର୍ଗୀକୃତ କରୁଛୁ ବୋଲି ନୂଆ ନିଯୁକ୍ତି ପରେ ନୋଏଲ କହିଛନ୍ତି। ୬୭ ବର୍ଷୀୟ ନୋଏଲ ସାର୍ ଦୋରାବ୍ଜୀ ଟାଟା ଟ୍ରଷ୍ଟ୍ସର ଏକାଦଶ ଏବଂ ସାର୍ ରତନ ଟାଟା ଟ୍ରଷ୍ଟ୍ସର ଷଷ୍ଠ ଅଧ୍ୟକ୍ଷ ହେବେ। ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନୋଏଲଙ୍କ ନିଯୁକ୍ତିକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କାରଣ ଟାଟା୍ ବ୍ରାଣ୍ଡ୍ରେ ପରିଚାଳିତ ଶତାଧିକ କମ୍ପାନିର ମୂଳ କମ୍ପାନି ଟାଟା ସନ୍ସରେ ଟାଟା ଟ୍ରଷ୍ଟ୍ସର ୬୬ ପ୍ରତିଶତ ଅଂଶଧନ ରହିଛି।