ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଇଡ଼ାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା। ନୋଇଡ଼ାର ଏକ ପ୍ରାଥମିକ ବିଦ୍ୟାଳୟରେ ଆଜି (ସୋମବାର) ପାଠ ପଢ଼ା ଚାଲିଥିବା ବେଳେ ଏକ ଶ୍ରେଣୀଗୃହର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଭଙ୍ଗାକାନ୍ଥ ତଳେ ଚାପି ହୋଇ ୨ ଜଣ ଛାତ୍ର ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଛାତ୍ରମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Advertisment

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ନୋଇଡ଼ାର ସେକ୍ଟର ୪୯ରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ସବୁଦିନ ପରି ଆଜି ମଧ୍ୟ ପାଠପଢ଼ା ଚାଲିଥିଲା। ତେବେ, ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଏକ ଶ୍ରେଣୀଗୃହର ଗୋଟିଏ ପଟ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଭୁଶୁଡ଼ି ପଡ଼ିଥିବା କାନ୍ଥ ତଳେ ଚାପି ହୋଇ ସଂପୃକ୍ତ ଶ୍ରେଣୀଗୃହର ୨ ଜଣ ଛାତ୍ର ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇବା ସହ ଆହତ ଛାତ୍ରମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅଦିତ୍ୟନାଥ ଯୋଗୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।