ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବ ଟାଟା। ଉତ୍ତରପ୍ରଦେଶର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଟାଟା ପ୍ରୋଜେକ୍ଟକୁ ମିଳିଲା କଣ୍ଟ୍ରାକ୍ଟ । କଣ୍ଟ୍ରାକ୍ଟ ଅନୁଯାୟୀ ଟାଟା ପ୍ରୋଜେକ୍ଟ ବିମାନବନ୍ଦରରେ ଟର୍ମିନାଲ୍, ରନୱେ, ଏୟାରସାଇଡ୍ ଭିତ୍ତିଭୂମି, ସଡକ, ୟୁଟିଲିଟି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କୋଠା ନିର୍ମାଣ କରିବ । ଯମୁନା ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରାଇଭେଟ ଲିମିଟେଡ୍ ଶୁକ୍ରବାର ଦିନ ଜାରି କରିଥିବା ଏକ ବିବୃତିରେ ଏହା କହିଛି। ଯମୁନା ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରାଇଭେଟ ଲିମିଟେଡ୍ ହେଉଛି ଜୁରିକ୍ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜିର ସହାୟକ ସଂସ୍ଥା, ଯିଏ ଟାଟା ପ୍ରୋଜେକ୍ଟକୁ ବିମାନବନ୍ଦର ନିର୍ମାଣ କରିବାର କାର୍ଯ୍ୟ ଦେଇଛି।
୨୦୧୯ରେ ଜୁରିକ୍ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ବିଡ୍ ଜିତିଥିଲା। ଯମୁନା ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରାଇଭେଟ ଲିମିଟେଡ୍ ଜୁରିକର ସହାୟକ ସଂସ୍ଥା ହେଉଥିବାରୁ ତାକୁ ଏବେ ନିର୍ମାଣର ସମସ୍ତ ଦାୟିତ୍ବ ଦିଆଯାଇଛି।
ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଜେୱରରେ ନିର୍ମାଣ ହେବାକୁ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ବିଶ୍ୱର ଚତୁର୍ଥ ବୃହତ୍ତମ ବିମାନବନ୍ଦର, ଏସିଆରେ ଦ୍ୱିତୀୟ ଏବଂ ଦେଶର ବୃହତ୍ତମ ବିମାନବନ୍ଦର ହେବ। ବିମାନବନ୍ଦରର ଅନ୍ତିମ ପର୍ଯ୍ୟାୟ ନିର୍ମାଣ ପରେ ଏହି ରା଼କିଙ୍ଗ ଲାଗୁ ହେବ। ବର୍ତ୍ତମାନ ୧୩.୩୪ ବର୍ଗ କିଲୋମିଟର ଅଞ୍ଚଳରେ ଏହି ବିମାନବନ୍ଦର ନିର୍ମାଣ କରାଯାଉଛି। ପରେ ଏହାର କ୍ଷେତ୍ର ବୃଦ୍ଧି କରାଯିବ। ପରିସଂଖ୍ୟାନ ଅନୁଯାୟୀ ସାଉଦି ଆରବର କିଙ୍ଗ ଫହଡ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ବିଶ୍ୱର ସବୁଠୁ ବଡ ବିମାନବନ୍ଦର। ଏହା ୭୭୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି।
ଏହା ପରେ ଆମେରିକାର ଦୁଇଟି ବିମାନବନ୍ଦରର ସଂଖ୍ୟା ଆସେ। ଯାହାର କ୍ଷେତ୍ରଫଳ ୧୩୭ ବର୍ଗ କିଲୋମିଟର ଏବଂ ୭୦ ବର୍ଗ କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ତେବେ ନୋଏଡାର ଜେୱର ବିମାନବନ୍ଦର ସଂପୂର୍ଣ୍ଣ ବିକଶିତ ହେବା ପରେ ଏହାର କ୍ଷେତ୍ରଫଳ ୫୮ ବର୍ଗ କିଲୋମିଟର ହେବ। ଆଉ ଏହା ପରେ ଏହି ବିମାନବନ୍ଦର ଚତୁର୍ଥ ସ୍ଥାନରେ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-23.jpg)