ନଏଡ଼ା ଡବଲ ମର୍ଡର : ଅଭିଯୁକ୍ତ ନାବାଳକ ମାନିଲା

ମା’ ଓ ଭଉଣୀଙ୍କୁ ହତ୍ୟା କରିଛି

ନୂଆଦିଲ୍ଲୀ: ଡିସେମ୍ବର ୫ ତାରିଖରେ ଗ୍ରେଟର ନଏଡ଼ାରେ ହୋଇଥିବା ଡବଲ ମର୍ଡର ଘଟଣାର ରହସ୍ୟ ଆଜି ଉନ୍ମୋଚନ ହୋଇଛି। ପାଠ ନପଢ଼ିବା ହେତୁ ପୁଅକୁ ବାଡ଼େଇବାରୁ ରାଗରେ ପୁଅ ମା’ ଓ ଭଉଣୀକୁ ବ୍ୟାଟ୍‌ରେ ପିଟି ଏବଂ କଇଁଚି ଭୁଷି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏକଥା ନିଜେ ଅଭିଯୁକ୍ତ ନାବାଳକ ସ୍ୱୀକାର କରିଛି। ଘଟଣା ଘଟାଇ ଫେରାର ଥିବା ଉକ୍ତ ନାବାଳକ ଉପରେ ପ୍ରଥମରୁ ପୁଲିସର ସନ୍ଦେହ ଥିବାବେଳେ ଆଜି ବାରାଣାସୀରୁ ତା’କୁ ଗିରଫ କରାଯିବା ପରେ ସେ ସବୁକଥା ସ୍ୱୀକାର କରିଛି। ୧୬ ବର୍ଷୀୟ ଅଭିଯୁକ୍ତ ବାଳକ ଜଣକ ଅଭିଯୋଗ କରିଛି ଯେ ତାକୁ ତା’ ବାପା ମା’ ଆଦୌ ଭଲ ପାଆନ୍ତିନି। ଗତ ସେପ୍ଟେମ୍ବର ମାସରେ ସେ ଭଲ ପାଠ ପଢ଼ୁନଥିବାରୁ ତା’ ବାପା ତା’ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ତେବେ ଘଟଣା ଘଟିବା ଦିନ ସକାଳେ ତା’ ମା’ ତାକୁ ସୋଫାରେ ବସି ପଢ଼ିବାରେ ବାରଣ କରିଥିଲେ ଏବଂ ଡାଇନିଂ ଟେବୁଲ୍‌ରେ ଯାଇ ପଢ଼ିବାକୁ କହିିଥିଲେ। କିନ୍ତୁ ମା’ଙ୍କ କଥା ନମାନିବାରୁ ମା’ ତାକୁ ପିଟିଥିଲେ। ଏଥିରେ ସେ କ୍ରୋଧାନ୍ଵିତ ହୋଇ ମା’ ଓ ଭଉଣୀ ଶୋଇଥିବାବେଳେ ସେମାନଙ୍କ ମୁଣ୍ଡକୁ ପ୍ରଥମେ ବ୍ୟାଟ୍‌ରେ ଖୁବ୍‌ ଜୋର୍‌ରେ ପ୍ରହାର କରିଥିଲା ଏବଂ ପରେ କଇଁଚି ଭୁଷି ହତ୍ୟା କରିଥିଲା ବୋଲି ଗୌତମବୁଦ୍ଧ ନଗର ଏସ୍‌ଏସ୍‌ପି କହିଛନ୍ତି। ଘଟଣା ଘଟିବା ଦିନ ବାଳକର ବାପା କାମ ଉଦ୍ଦେଶ୍ୟରେ ଗୁଜରାଟର ସୁରଟ ଚାଲିଯାଇଥିଲେ ଏବଂ ତା’ର ଜେଜେ ବାପା ଏବଂ ଜେଜେ ମା’ ଏକ ବିବାହ ଉତ୍ସବରେ ଅଂଶଗ୍ରହଣ ପାଇଁ ଡେରାଡୁନ୍‌ ଯାଇଥିଲେ। ଏହାର ସୁଯୋଗ ନେଇ ନାବାଳକ ନିଜ ମା’ ଓ ଭଉଣୀଙ୍କୁ ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର