ନୂଆଦିଲ୍ଲୀ: ଦେଶରେ ‌ଯୌତୁକ ନିଷିଦ୍ଧ ହେବାର ଦୀର୍ଘ ୬ ଦଶନ୍ଧୀ ପରେ ରାଜଧାନୀ ଦିଲ୍ଲୀଠାରୁ ମାତ୍ର ଅଳ୍ପ ଦୂର ନୋଏଡ଼ାରେ ରହୁଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କୁ  ଯୌତୁକ ପାଇଁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।  ୩୬ ଲକ୍ଷ ଟଙ୍କାର ‌ ଯୌତୁକ ପାଇଁ ଜଣେ ନିରୀହ ଶିଶୁ ସାମ୍ନାରେ ତା’ ମା’କୁ ପୋଡ଼ି ମାରି ଦିଆଯାଇଛି। ଏହି ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଏକ ଜଘନ୍ୟ ଘଟଣାରେ ପୁଲିସ ହତ୍ୟାର ଶିକାର ହୋଇଥିବା ନିକ୍କି ଭଟିଙ୍କ ସ୍ବାମୀ ବିପିନ ଭଟି, ଶ୍ବଶୁର ସତବୀର, ଶାଶୂ ଦୟା ଏବଂ ଦେଢ଼ଶୁର ରୋହିତଙ୍କୁ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ  ମଧ୍ୟ ବିଚାରବିଭାଗୀୟ ହାଜତ ପଠାଯାଇଛି।  

ନିକ୍କି ବାପାଙ୍କ ସଙ୍ଗିନ ଅଭିଯୋଗ
ମଣିଷ ନୁହନ୍ତି, କଂସେଇ

Advertisment

ନିକ୍କିଙ୍କ ବାପା ଭିକାରୀ ସିଂହ ପାୟଲା କହିଛନ୍ତି, ସେମାନେ ମଣିଷ ନୁହନ୍ତି, କଂସେଇ। ସେମାନଙ୍କର ବଞ୍ଚିବାର କିଛି ଅଧିକାର ନାହିଁ। ସେମାନେ ମୋ ନିରୀହ ଝିଅକୁ ମାରିଦେଇଛନ୍ତି। ଦୟା କିରାସିନି ଢାଳିଥିବାବେଳେ ବିପିନ ମୋ ଝିଅ ଦେହରେ ନିଆଁ ଲଗାଇଛି। ଦୀର୍ଘ ଦିନ ଧରି ସେମାନେ ମୋ ଝିଅଠାରୁ ଟଙ୍କା ଏବଂ କାର୍‌ ଦାବି କରି ଆସୁଥିଲେ। ଭିକାରୀ  କହିଛନ୍ତି, ତାଙ୍କ ୨ ଝିଅ ନିକ୍କି ଓ କାଞ୍ଚନ ଦୁଇଭାଇ ବିପିନ ଓ ରୋହିତଙ୍କୁ ୨୦୧୬ ଡିସେମ୍ବର ୧୦ରେ ବିବାହ କରିଥଲେ।  ବିବାହ ସମୟ‌ରେ ସେମାନଙ୍କୁ ସ୍କର୍ପିଓ, ସୁନା ଏବଂ ଟଙ୍କା‌ ଦିଆଯାଇଥିଲା। କିନ୍ତୁ ସେମାନଙ୍କର ଦାବି ବଢ଼ି ଚାଲିଲା। ନିକଟରେ ସେମାନେ ୩୬ ଲକ୍ଷ ଦାବି କରିଥିଲେ। କିନ୍ତୁ ଏହି ଦାବି ପୂରଣ ନହେବାରୁ ସେମାନେ ମୋ ଝିଅକୁ ମାରିଦେଲେ ବୋଲି ନିକ୍କିଙ୍କ ବାପା କହିଛନ୍ତି।  ନିକ୍କିଙ୍କ ବାପା ମଧ୍ୟ ଅନ୍ୟ ଏକ ଅଭି‌ଯୋଗ କରି କହିଛନ୍ତି ଯେ ବିପିନଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିଲା ଏବଂ ଏଥିପାଇଁ ତାଙ୍କୁ ନିକ୍କି ବିରୋଧ କରୁଥିଲେ। 

ଉଲ୍ଲେଖଯୋଗ୍ୟ ଯେ ନିକ୍କିଙ୍କ ବାପା ତାଙ୍କ ହତ୍ୟା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଏନକାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି। ନିକ୍କିଙ୍କ ଭଉଣୀ କାଞ୍ଚନ କହିଛନ୍ତି, ଘଟଣା ସ୍ଥଳରେ ସମେସ୍ତ ଉପସ୍ଥିତ ଥିଲେ ମଧ୍ୟ କେହି ହସ୍ତକ୍ଷେପ କରି ନଥିଲେ।  ସେମାନେ ମୋ ଭଉଣୀ ଦେହରେ ନିଆଁ ଲଗାଇବାପରେ ମୁଁ ପଡ଼ୋଶୀଙ୍କ ସାହାଯ୍ୟରେ ତାକୁ  ଫୋର୍ଟିସ ହସ୍ପିଟାଲ୍‌ ନେଇଥିଲି ଏବଂ ସେଠାରୁ ସଫଦରଜଙ୍ଗ ହସ୍ପିଟାଲ୍‌ ନିଆଯାଇଥିଲା। ତେବେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏହି ଘଟଣାରେ ଯୌତୁକକୁ ନେଇ କିଛି ଏତଲା ରୁଜୁ ହୋଇନି। ପୁଲିସର ସୂଚନା ଅନୁଯାୟୀ, ବିପିନ ନିକ୍କିଙ୍କ ଇନଷ୍ଟା ରିଲ୍ସ ପ୍ରସ୍ତୁତିକୁ ବିରୋଧ କରୁଥିଲା। ଭଉଣୀ କାଞ୍ଚନଙ୍କ ସହ ମିଶି ପୁନର୍ବାର ପାର୍ଲର ଖୋଲିବାର ଯୋଜନା ଶାଶୂଘର ସଦସ୍ୟଙ୍କ ସହ କଳହ ବଢ଼ାଇଥିଲା। ଗତ ୨୧ ତାରିଖର ଆକ୍ରମଣ ପୂର୍ବରୁ ନିକ୍କି ଓ କାଞ୍ଚନଙ୍କର ଏକ ରିଲ୍ସକୁ ନେଇ ଶାଶୂଙ୍କ ସହ ଝଗଡ଼ା ହୋଇଥିଲା।