ଗ୍ରେଟର ନୋଏଡା: ଗ୍ରେଟର ନୋଏଡାରେ ଯୌତୁକ ସମ୍ବନ୍ଧୀୟ ଏକ ବର୍ବର ହତ୍ୟା ମାମଲା ଆଲୋଡ଼ନ ସୃଷ୍ଟି କରିଛି। ଗତରାତିରେ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିପିନ ଆଜି ପୁଲିସ ହେପାଜତରୁ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଗୁଳିମାଡ଼ରେ ଆହତ ହୋଇଛି।  ବିପିନକୁ ମେଡିକାଲ ଯାଞ୍ଚ ପାଇଁ ନିଆଯାଇଥିବା ବେଳେ ସେ  ଜଣେ  ପୁଲିସ ଅଧିକାରୀଙ୍କ ପିସ୍ତଲ ଛଡ଼ାଇ ଦୌଡ଼ିବାକୁ ଆରମ୍ଭ କରିଥିଲା। ପୁଲିସ ତାକୁ ରୋକିବା ପାଇଁ ଗୁଳି ଚଳାଇଥିଲା ଏବଂ ଗୁଳି ବିପିନର ଗୋଡ଼ରେ ବାଜିଥିବା ଜଣାପଡ଼ିଛି। ବର୍ତ୍ତମାନ ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିପିନ  ବିରୋଧରେ ପତ୍ନୀ ନିକ୍କିଙ୍କୁ ଅତି ବର୍ବରତାର ସହ ହତ୍ୟା କରିବା  ଅଭିଯୋଗ ରହିଛି। ଅନ୍ୟପକ୍ଷରେ ଆଜି ଅପରାହ୍ନରେ ପୁଲିସ ପୀଡ଼ିତାଙ୍କ ଶାଶୂଦୟାବତୀଙ୍କୁ ଗିରଫ କରିଛି।

Advertisment

ଅଭିଯୋଗ ଅନୁଯାୟୀ, ବିପିନ ନିକ୍କିଙ୍କୁ ଯୌତୁକ ପାଇଁ ଲଗାତାର ନିର୍ଯାତନା ଦେଉଥିଲା। ଗତ ୨୧ ତାରିଖରେ ବିପିନ ଓ ଦୟାବତୀ  ନିକ୍କିଙ୍କୁ ମାଡ଼ ମାରି ଅଚେତ କରିଦେଇଥିଲେ ଏବଂ ପରେ ଜିଅନ୍ତା ଜାଳି ଦେଇଥିଲେ।  ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ନିକ୍କିଙ୍କ ପିତାମାତା ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି।  ଏହି ଘଟଣା ଯୌତୁକ ସମ୍ବନ୍ଧୀୟ ହିଂସାର ଭୟାବହ ଦିଗକୁ ପୁଣି ଥରେ ତାଜା କରିଛି। 

ସୂଚନାଯୋଗ୍ୟ, ୩୬ ଲକ୍ଷ ଟଙ୍କାର ଯୌତୁକ ଦାବି କରି ୨୮ ବର୍ଷୀୟା ନିକ୍କିଙ୍କୁ ଅତି ନୃଶଂସ ହତ୍ୟା କରାଯାଇଥିବା ଘଟଣା ଗତକାଲି ଲୋକଲୋଚନକୁ ଆସିଥିଲା। ପିତା ଭିକାରୀ ସିଂହ ପାୟଲା ଦାବି କରିଛନ୍ତି ଯେ ଅଭିଯୁକ୍ତ ନିକ୍କିଙ୍କ ସ୍ୱାମୀ ବିପିନ ଭଟି ଏବଂ ଅନ୍ୟ ହତ୍ୟାକାରୀଙ୍କୁ ଏନ୍‌କାଉଣ୍ଟରରେ ଗୁଳିକରି ହତ୍ୟା କରାଯାଉ ଏବଂ ସେମାନଙ୍କ ଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଆଯାଉ।   ବିପିନ   ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିଲା ଏବଂ ନିକ୍କିଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଭିକାରୀ ଅଭିଯୋଗ କରିଛନ୍ତି। ଏକ ହୃଦୟବିଦାରକ ଭିଡିଓରେ ନିକ୍କିଙ୍କୁ ଆକ୍ରମଣ କରାଯାଉଥିବା ଏବଂ ତାଙ୍କୁ ଅଗ୍ନିସଂଯୋଗ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବିପିନର ପିତା ଏବଂ ଭାଇ ଏବେ ବି ଫେରାର ଅଛନ୍ତି।