ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଦିଲ୍ଲୀ ନିକଟ ନୋଏଡା ରାସ୍ତାର ନାମ ପରିବର୍ତ୍ତନ କରିଛନ୍ତି। ଉକ୍ତ ରାସ୍ତାର ନାମକୁ ଜାତୀୟ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସର ପ୍ରତିଷ୍ଠାତା ରାମନାଥ ଗୋଏଙ୍କା ନାମରେ ରାମାନାଥ ଗୋଏଙ୍କା ମାର୍ଗ ରୂପେ ନାମିତ କରିଛନ୍ତି। ନୋଏଡାର ସେକ୍ଟର ୧୨ରୁ ସେକ୍ଟର ୧୬ର ରଜନୀଗନ୍ଧା ଚୌକକୁ ଏହି ରାସ୍ତା ଛୁଇଁଛି। ପୂର୍ବରୁ ଏହି ରାସ୍ତା ଅମଲତାଶ ରୋଡ ନାମରେ ଜଣାଶୁଣା ଥିଲା। ଇଣ୍ଡିଆନ ଏକ୍ସପ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଲେ ଯେ, ଭାରତର ଗଣତାନ୍ତ୍ରିକ ଇତିହାସରେ ୧୯୭୫ ମସିହା ଜୁନ ୨୫ ତାରିଖ ଏକ କଳା ଦିବସ ଥିଲା।
ଇନ୍ଦିରାଗାନ୍ଧୀଙ୍କ ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହା ୧୯୭୭ ପର୍ଯ୍ୟନ୍ତ ବଳବତ୍ତର ଥିଲା। ତେଣୁ ସେହି ସମୟରେ ଯେଉଁମାନେ ଗଣତନ୍ତ୍ରର ପୁନଃ ସ୍ଥାପନ ପାଇଁ କାମ କରିଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗଣମାଧ୍ୟମ ଗଣତନ୍ତ୍ରର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରି ଭଳି ସେହି ସମୟରେ କାମ କରିଥିଲା। ସେଭଳି ପରିସ୍ଥିତିରେ ଗଣମାଧ୍ୟମ କ’ଣ କରିବା କଥା ତାହା ଗୋଏଙ୍କା ପରିବାରର ମୂଖ୍ୟ ଭୂମିକା ଥିଲା। ଗଣମାଧ୍ୟମ ଜରିଆରେ ଗଣତନ୍ତ୍ରର ସୁରକ୍ଷା ପାଇଁ ରାମନାଥ ଗୋଏଙ୍କାଙ୍କ ଭୂମିକା ଅବର୍ଣ୍ଣନୀୟ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିର ଦିନକୁ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକ ଗୌରବର ଦିନ ବୋଲି ଅଭିହିତ କରି କହିଲେ ଯେ, ରାମନାଥ ଗୋଏଙ୍କା ଗଣମାଧ୍ୟମର ସ୍ବାଧୀନତାକୁ ବଜାୟ ରଖିବା ସହିତ ଗଣତନ୍ତ୍ରର ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମୀପୂର୍ଣ୍ଣ ଭୂମିକା ନିମନ୍ତେ ସେ ସର୍ବାଦୌ ସମ୍ମାନାସ୍ପଦ ଓ ସେ ସବୁବେଳେ ମନେ ରହିବେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମର ପାଇଁ ଆମେ ସମସ୍ତେ କାମ କରିବା ସୁଯୋଗ ପାଇବା ଉଚିତ ବୋଲି ସେ କହିଥିଲେ।