ନୋଇଡ଼ା: ଉତ୍ତରପ୍ରଦେଶର ନୋଏଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ମାତ୍ର ୯୦ ସେକେଣ୍ଡ୍‌ ମଧ୍ୟରେ ଜଣେ ଇ-ରିକ୍ସା ଚାଳକଙ୍କୁ ୧୭ଟି ଚାପୁଡ଼ା ମାରିଥିବାର ଦୃଶ୍ୟର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଘଟଣାଟି ଏପରି। ଜଣେ ଇ-ରିକ୍ସା ଚାଳକ ମହିଳାଙ୍କ କାର୍‌ରେ ତାଙ୍କ ଗାଡ଼ି ବଜାଇ ଦେଇଥିବାରୁ ରାଗରେ ଆସି ମହିଳା ଜଣକ ତାଙ୍କ କଲର୍‌ ଧରି ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲୁଥିଲେ।

Advertisment

ସୂଚନାରୁ ଜାଣିବାକୁ ମିଳିଛି ଯେ ଘଟଣାଟି ନୋଏଡ଼ାର ସେକ୍ଟର-୧୦ର ଏକ ବଜାରରେ ଘଟିଛି । ଏହି ଘଟଣାଟି ଘଟିବା ବେଳେ କେହି ଜଣେ ଦେଖଣାହାରୀ ପୂରା ଘଟଣାର ଭିଡ଼ିଓ କରି ତାହାକୁ ସୋସିଆଲ୍‌ ମିଡିଆରେ ସେୟାର କରିବା ପରେ ଯାଇ ଘଟଣାଟି ଲୋକଲୋଚନକୁ ଆସିଛି।

ମହିଳା ଜଣକ ଇ-ରିକ୍ସା ଚାଳକଙ୍କୁ ଚାପୁଡ଼ା ମାରୁଥିବା ବେଳେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ବି କେହି ପ୍ରତିବାଦ କରିନଥିଲେ। ଇ-ରିକ୍ସା ଚାଳକଙ୍କ ସାମାନ୍ୟ ଭୁଲ୍‌ ପାଇଁ ମହିଳା ଜଣକ ଯେଉଁ ଭଳି ଭାବେ ଆଇନ୍‌କୁ ନିଜ ହାତମୁଠାରେ ନେଇଛନ୍ତି, ତାହା ଏବେ ସର୍ବସାଧାରଣରରେ ଚର୍ଚ୍ଚା ହେଉଛି।

ରାଗରେ ପାଗଳ ପ୍ରାୟ ହୋଇଥିବା‌  ମହିଳା ଜଣକ ଯେ ଖାଲି ମାଡ଼ ମାରୁଛନ୍ତି ତାହା ନୁହେଁ, ସେ ରିକ୍ସା ଚାଳକଙ୍କ ମୋବାଇଲ୍‌ ଓ ଟଙ୍କା ବି ଛଡ଼ାଇ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ୍‌ ମିଡିିଆରେ ଭିଡିଓଟି ଭାଇରାଲ୍‌ ହେବା ପରେ ଲୋକେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।