ଭୋପାଳ: ଭୋପାଳର ଏକ ନ୍ୟାୟାଳୟ ରାସ୍ତା ଉପରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କରିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛି।
ଏହି ମାମଲାର ବିଚାର କରି ମାଜିଷ୍ଟ୍ରେଟ୍ ପ୍ରକାଶ କୁମାର ସମ୍ବିତ ପାତ୍ରଙ୍କ ବିରୋଧରେ ଏଭଳି ଆଦେଶ ଦେଇଛନ୍ତି। ଗତ ଅକ୍ଟୋବର ୨୭ ତାରିଖରେ ଭୋପାଳର ଏମ୍ପି ନଗରରେ ବିଶାଲ ମେଗା ମାର୍ଟର ପାଖ ରାସ୍ତା ବନ୍ଦ କରି ସେଠାରେ ଟେଣ୍ଟ୍ ଓ ଚୌକି ପକାଇ ଏକ ପ୍ରେସ୍ ମିଟର ଆୟୋଜନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ବି ନିଆଯାଇଥିଲା। ଏ ସଂପର୍କରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଓ ପୁଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ମାଜିଷ୍ଟ୍ରେଟ୍ ଏମ୍ପି ନଗର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏଥିରେ ସମ୍ବିତ ପାତ୍ର ଓ ଆଉ ଜଣେ ଅଭିଯୁକ୍ତ ଥିଲେ ଏସ ଏସ ଉପ୍ପଲ୍। ଉପଲ୍ ଗତ ୨୬ ତାରିଖରେ ଜାମିନ୍ ଆବେଦନ କରିବ ପରେ ତାହା ମଞ୍ଜୁର ହୋଇଥିଲା। କିନ୍ତୁ ନ୍ୟାୟାଳୟରେ ହାଜର ନ ହେବା କାରଣରୁ ସମ୍ବିତ ପାତ୍ରଙ୍କ ବିରୋଧରେ ଜାମିନ୍ଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି।