ଏଣିକି ଆଇଏସ୍ଆଇ ମାର୍କ ନଥିବା ହେଲମେଟ୍ ବିକ୍ରି କରୁଥିବା କମ୍ପାନି ଓ ବ୍ୟବସାୟୀଙ୍କଠାରୁ ଆଦାୟ ହେବ ଜରିମାନା, ଚାଳକ ବି ପାଇ ପାରନ୍ତି ଦଣ୍ଡ
ନୂଆଦିଲ୍ଲୀ : ଦୁଇ ଚକିଆ ଯାନ ଚଳାଉଥିବା ଲୋକମାନେ ବ୍ୟବହାର କରୁଥିବା ହେଲ୍ମେଟ୍କୁ ନେଇ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏକ ନୋଟିସ ଜାରି କରିିଛନ୍ତି । ନୋଟିସ୍ ଅନୁଯାୟୀ, ଯେଉଁ ହେଲ୍ମେଟ୍ ଆଇଏସ୍ଆଇ(ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଇନ୍ଷ୍ଟିଚ୍ୟୁଟ୍) ପ୍ରମାଣିତ ହୋଇ ନ ଥିବ, ତାକୁ ତିଆରି କରୁଥିବା ଏବଂ ବିକ୍ରି କରୁଥିବା ଲୋକକୁ ବିନା ଓ୍ଵାରେଣ୍ଟରେ ଗିରଫ କରି ନିଆଯିବ । ଏହା ସହ ସେ ବ୍ୟକ୍ତିକୁ ୨ଲକ୍ଷ ଟଙ୍କା ଜରିମାନା ବା ୨ବର୍ଷ ଜେଲ୍ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ଏହି ନୂଆ ନିୟମ ଜାନୁଆରି ୧୫,୨୦୧୯ରୁ ଲାଗୁ ହେବ ବୋଲି ଜଣା ପଡ଼ିଛି । ତେବେ ଆଇଏସ୍ଆଇ ପ୍ରମାଣିକୃତ ହେଲ୍ମେଟ୍ ନ ପିନ୍ଧିଲେ ଚାଳକ ଉପରେ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସୂଚନା ମୁତାବକ, ଏବେ ବ୍ୟବହାର ହେଉଥିବା ହେଲ୍ମେଟ୍ର ଓଜନ ୧.୫ କିଲୋଗ୍ରାମ ଥିବା ବେଳେ ଏହାକୁ ୧.୨କିଲୋଗ୍ରାମ କରିବା ପାଇଁ ଆଦେଶ ଦେଇଛି ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍) । ହେଲ୍ମେଟ୍ ହାଲୁକା ଏବଂ ପବନ ଚଳାଚଳ ଠିକ୍ ଭାବରେ ହେବା ନିହାତି ଦରକାର । ଯାହାକୁ ପିନ୍ଧିବା ପରେ ଚାଳକମାନେ ଅସହଜ ମନେ କରିବେ ନାହିଁ । ମୋଟର ସାଇକେଲ ଆକ୍ଟ ୧୯୮୮ର ଧାରା ୧୨୯ଅନୁଯାୟୀ ଦୁଇ ଚକିଆ ଯାନର ଚାଳକକୁ ବିଆଇଏସ୍ ମାନକ ଥିବା ହେଲ୍ମେଟି ପିନ୍ଧିବା ଅତ୍ୟନ୍ତ ଜରୁରୀ । ହେଲ୍ମେଟ୍ରେ ଆଇଏସ୍ଆଇ ହଲମାର୍କ ନିହାତି ରହିବା ଦରକାର ।