କରୋନା କାଳରେ ମଲା ପରେ ବି ସଂଗ୍ରାମ କରୁଛି ମଣିଷ !

ନୂଆଦିଲ୍ଲୀ: ମଲା ପରେ ବି ସଂଗ୍ରାମ କରୁଛି ମଣିଷ । ଶବକୁ ମିଳୁନି ଶ୍ମଶାନ। ଶ୍ମଶାନ ଦୁଆରେ ଲାଗୁଛି ଲମ୍ବାଧାଡ଼ି। ଦାହ ସଂସ୍କାର ଲାଗି ନମ୍ବର କରିବାକୁ ପଡ଼ୁଛି। ସତରେ ଏମିତି ଦିନ ଆସିବ ବୋଲି ନା କେବେ ଭାବିଥିଲା ମଣିଷ, ନା ଭାବିଥିବ ମଣିଷରୁ ମୁର୍ଦ୍ଦାର ସାଜିଥିବା ଶରୀର ।

ସଂକ୍ରମିତ ଶବକୁ ଯେଉଁଠି ମଶାଣି ମିଳୁନି ସେଠି ବା ଖଇ କଉଡି କେମିତି ମିଳନ୍ତା? କରୋନା ସଂକ୍ରମଣରେ ମୃତ୍ୟୁ ପରେ ନା ପରିବାର ଲୋକ ଶବକୁ ଛୁଇଁ ପାରୁଛନ୍ତି ନା କେହି କାନ୍ଧ ଦେଇପାରୁଛନ୍ତି । ଛ’ ଖଣ୍ଡ କାଠର କୋକେଇ ତ କରୋନା କବଳିତ ଶବ ପାଇଁ ସାତସପନ । ମାନବିକତା ଅଛି ବୋଲି ଏଇ ପିପିଇ କିଟ୍ ପିନ୍ଧା ମଣିଷମାନେ ରାମ ନାମ ସତ୍ୟ ହେ କହି ଜୁଇକୁ ନେଉଛନ୍ତି । ନହେଲେ ଅନେକ ସ୍ଥାନରେ ଅଳିଆଗଦାରେ ବି ଫିଙ୍ଗାଯାଉଛି ଶବ ।

ଦେଶରେ ଦୈନିକ ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁର ଅଙ୍କ ବି ଆଖି ଦେଖାଉଛି । ସାରା ଦେଶର ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ହଜାର ପାର କରୁଥିବା ବେଳେ ମୃତ୍ୟୁ ପରର ପରିସ୍ଥିତି ପୂରା ଦେଶବାସୀଙ୍କୁ ବିଚଳିତ କରିଛି । ଦେଖନ୍ତୁ ଏ ଦୃଶ୍ୟକୁ କେମିତି ଏକାସାଙ୍ଗରେ ମଶାଣିରେ ଜଳୁଛି ମାଳ ମାଳ ଜୁଇ । ଆଉ ଜୁଇର ଆଲୁଅରେ ପୂରା ଅଞ୍ଚଳ ଆଲୋକିତ ହେଉଛି । ରାତିର କିଟମିଟି ଅନ୍ଧାର ଚିରି ଚିତାର ନିଆଁ ଖଣ୍ଡମଣ୍ଡଳକୁ ନାଲି କରିଦେଉଛି । ଖାଲି ସେତିକି ନୁହେଁ, କେଉଁଠି କେଉଁଠି ଜୁଇ ଜଳୁଛି ଯେ ଜଳୁଛି । ଶବ ସରୁନି, ଜୁଇ ଲିଭୁନି । ଭାଟି ପଛେ ତରଳି ଯାଉଛି, କାଠ ସରିଯାଉଛି ହେଲେ ଶବ ଆସିବାର ଅନ୍ତ ହେଉନି । କରୋନାର ଏ କରୁଣ କାହାଣୀ ଶୁଣି କମିଯାଉଛି ଆୟୁଷ ।

ସେପଟେ ଶବର ଏଇ ଭିଡ ଭିତରେ ଅକ୍ସିଜେନର ଅଭାବ, ଔଷଧର ଅଭାବ ଆଗାମୀ ଦିନରେ ଭୀଷଣ ସଙ୍କଟର ଭୟ ସୃଷ୍ଟି କରିଛି । ଜୀବନ ପାଇଁ ମଣିଷ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଥିଲେ ବି  ଏ ମେଡିକାଲରୁ ସେ ମେଡିକାଲ ଧାଇଁ ଧାଇଁ ନୟାନ୍ତ ହେଉଛି । ନିଶ୍ୱାସ ପାଇଁ ଅକ୍ସିଜେନ ନୁହେଁ ବରଂ ନିରାଶ ମିଳୁଛି । ବେଡ୍ ନାହିଁ, ବ୍ୟବସ୍ଥା ନାହିଁ । ଜୀବନକୁ ଯମ ଆଖି ଆଗରୁ ଟାଣି ନେଉଥିଲେ ବି ଉପାୟଶୂନ୍ୟ ମଣିଷ । ଖାଲି ଭଗବାନଙ୍କ ଭରସାରେ ଉପରକୁ ମୁହଁ କରି ପଡି ରହିଛନ୍ତି ଏ ଅସହାୟ ମଣିଷ । ଦିଲ୍ଲୀରର ଏକ ହସ୍ପିଟାଲ ଆଗରୁ ଆସିଥିବା ଏକ ଫଟୋରେ ଜଣେ ରୋଗୀ ବ୍ୟବସ୍ଥାଠୁ ତଡା ଖାଇବା ପରେ ନିଜ ଖର୍ଚ୍ଚରେ ଅକ୍ସିଜେନ ସିଲିଣ୍ଡର ଲଗାଇ ଅସହାୟ ଅବସ୍ଥାରେ ଅପେକ୍ଷା କରିଛନ୍ତି । ସତରେ ସଙ୍କଟବେଳେ ରୋଗୀଙ୍କ ଏ ଅବସ୍ଥା ବ୍ୟବସ୍ଥାକୁ ପ୍ରଶ୍ନ କରୁଛି ।

ସମ୍ବନ୍ଧିତ ଖବର