ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଟ. ୨୦୦ କୋଟି ବଟି ଆଦାୟ ମାମଲାରେ ନୋରା ଫତେହୀଙ୍କୁ ୬ ଘଣ୍ଟା ଜେରା

ନୂଆଦିଲ୍ଲୀ: ‘କନ୍‌ମ୍ୟାନ୍‌’ (ପ୍ରବଞ୍ଚକ) ସୁକେଶ ଚନ୍ଦ୍ରଶେଖରଙ୍କ ଟ. ୨୦୦ କୋଟି ବଟି ଆଦାୟ ମାମଲାରେ ରୁଜୁ ହୋଇଥିବା ମାମଲା ସହିତ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀଙ୍କୁ ଦିଲ୍ଲୀ ପୁଲିସ ଶୁକ୍ରବାର ଦିନ ୬ଘଣ୍ଟା ଜେରା କରିଛି।

ଏହି ମାମଲାର ଜଣେ ସାକ୍ଷୀ ରୂପେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନୋରାଙ୍କୁ ଜେରା କରିଥିଲା। ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚି ତାଙ୍କର ବୟାନ ରେକର୍ଡ କରିସାରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ନୋରା ଫେରିଯାଇଥିଲେ। କନ୍‌ମ୍ୟାନ୍‌ ସୁକେଶଙ୍କ ପ୍ରଦତ୍ତ ଉପହାର ପ୍ରସଙ୍ଗରେ ନୋରାଙ୍କୁ ପଚରାଯାଇଥିଲା।

ସୂଚନାଯୋଗ୍ୟ, ‘ଫର୍ଟିସ୍‌ ହେଲ୍‌ଥ୍‌କେୟାର୍‌’ର ପୂର୍ବତନ ପ୍ରଦ୍ୟୋକ୍ତା ଶିବିନ୍ଦର ସିଂହଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗରେ ଗତବର୍ଷ ଦିଲ୍ଲୀ ପୁଲିସ ସୁକେଶ, ତାଙ୍କ ପତ୍ନୀ ଲୀନା ମାରିଆ ପାଲ୍‌ ଏବଂ ଅନ୍ୟମାନଙ୍କ ନାଁରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା।

Image Courtesy of NDTV

‘କନ୍‌ମ୍ୟାନ୍‌’ ସୁକେଶ ତାଙ୍କୁ ‘ବିଏମ୍‌ଡବ୍ଲୁ’ ଉପହାର ଦେଇଛନ୍ତି ବୋଲି ଉଠିଥିବା ଅଭିଯୋଗକୁ ନୋରା ଫତେହୀ ଅସ୍ବୀକାର କରିଛନ୍ତି। ସେ ପୁଲିସକୁ କହିଛନ୍ତି ଯେ, ଚେନ୍ନାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପ୍ରତିବଦଳରେ ଉକ୍ତ କାର୍‌ଟିକୁ ସୁକେଶଙ୍କ ପତ୍ନୀ ତାଙ୍କୁ ଭେଟି ଦେଇଥିଲେ।

ପୂର୍ବରୁ ଉପରୋକ୍ତ ଟ. ୨୦୦ କୋଟି ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଜଣେ ଅଭିଯୁକ୍ତା ଭାବେ ନାମିତ କରିଥିଲା। ଅଗଷ୍ଟ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ଫର୍ଣ୍ଣାଣ୍ଡିଜ୍‌ଙ୍କ ନାମରେ ମଧ୍ୟ ଚାର୍ଜସିଟ୍‌ ଦାଖଲ କରିଥିଲା।

ଏହି ମାମଲାରେ ସେପ୍ଟେମ୍ବର ୧୨ ତାରିଖରେ ବୟାନ୍‌ ରେକର୍ଡ କରିବା ପାଇଁ ଆର୍ଥିକ ଅପରାଧ ଶାଖା ଜାକ୍‌ଲିନ୍‌ଙ୍କୁ ସମନ୍‌ ଜାରି କରିଛି।

ସମ୍ବନ୍ଧିତ ଖବର