ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବିଶ୍ବରେ ମଧ୍ୟ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ନୃତ୍ୟ ଏବଂ ଗ୍ଲାମରସ୍ ଲୁକ୍ ଚର୍ଚ୍ଚାରେ ରହିଛି। ନୋରାଙ୍କର ଏହି ଲୋକପ୍ରିୟତା ହେତୁ ‌ସେ କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ରେ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଫିଫା ବିଶ୍ୱକପ୍ ୨୦୨୨ର ଫ୍ୟାନ୍ ଫେଷ୍ଟିଭାଲରେ ନୋରା ଏକ ଜବରଦସ୍ତ ନୃତ୍ୟ କରିଥିବା ଦେଖାଯାଇଥିଲା। ହାତରେ ତ୍ରିରଙ୍ଗା ଧରି ମଞ୍ଚ ଉପରେ ନୋରା ଜୟ ହିନ୍ଦ ସ୍ଲୋଗାନ ମଧ୍ୟ ଦେଇଥିଲେ। କିନ୍ତୁ ଏହି ସମୟରେ ନୋରା କରିଥିବା ଏକ ବଡ ଭୁଲ ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି।

Advertisment

ତ୍ରିରଙ୍ଗାକୁ ଓଲଟା ଧରିଥିବାରୁ ନୋରାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ‌ନୋରା କହୁଛନ୍ତି, ଭାରତ ଫିଫା ବିଶ୍ୱକପରେ ନଥିଲେ ବି ଆମେ ଏହି ଉତ୍ସବର ଏକ ଅଂଶ। ଆମେ ଆମ ସଙ୍ଗୀତ ଓ ନୃତ୍ୟ ସହ ଏହି ଉତ୍ସବ ସହ ଜଡ଼ିତ। ସେଠାରେ ଉପସ୍ଥିତ ଲୋକମାନେ ନୋରାଙ୍କ ଏହି କଥା ଶୁଣିବା ପରେ ତାଳି ମାରୁଥିବା ବେଳେ ନୋରା ତ୍ରିରଙ୍ଗା ପତାକା ହାତରେ ଧରି ଜୟ ହିନ୍ଦ କହିବା ଆରମ୍ଭ କରୁଛନ୍ତି। ନୋରାଙ୍କ ସହ ଦର୍ଶକ ମଧ୍ୟ ଜୟ ହିନ୍ଦ ଓ ଇଣ୍ଡିଆ...ଇଣ୍ଡିଆ... କହୁଥିବା ଦେଖାଯାଉଛି। ଷ୍ଟାଡିୟମରୁ ଭାଇରାଲ ହେଉଥିବା ଏହି ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ନୋରା କରିଥିବା ଭୁଲ ସାମ୍ନାକୁ ଆସିଛି। ସମ୍ମାନ ନଦେଇ ନୋରା ଯେଉଁଭଳି ଭାବେ ତ୍ରିରଙ୍ଗାକୁ ଧରିଥିଲେ ଏବଂ ପରେ ଏହାକୁ ଓଲଟା ଧରି ଦର୍ଶକଙ୍କୁ ଦେଖାଇଥିଲେ, ତାକୁ ନେଇ ଏବେ ସେ ବିବାଦରେ ଛନ୍ଦି ହୋଇଛନ୍ତି।