ଅଗଷ୍ଟ-ସେପ୍ଟେମ୍ବରରେ ହେବ ସ୍ବାଭାବିକ ବର୍ଷା : ଆଇଏମଡି

ନୂଆଦିଲ୍ଲୀ : ସମଗ୍ର ଦେଶରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଥିବା ଉତ୍ତରପ୍ରଦେଶ,କେରଳ ଓ ଝାଡ଼ଖଣ୍ଡରେ ବି ଭଲ ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଅଗଷ୍ଟ-ସେପ୍ଟେମ୍ବରେ ବର୍ଷା ପରିମାଣ ଲଙ୍ଗ-ପିରିଅଡ ଆଭରେଜର ୯୪ରୁ ୧୦୬ ପ୍ରତିଶତ ମଧ୍ୟରେ ରହିଛି, ଯାହାକି ସ୍ବାଭାବିକ ବର୍ଷା । ଦେଶକୁ ମୌସୁମୀର ଆଗମନ ପୂର୍ବରୁ ଆଇଏମଡି ପୂର୍ବାନୁମାନ କରିଥିଲା ଯେ, ଏବର୍ଷ ଦେଶରେ ସ୍ବାଭାବିକ ବର୍ଷା ହେବ । ଜୁନ ଓ ଜୁଲାଇରେ ଭଲ ବର୍ଷା ହେବ, କିନ୍ତୁ ସେପ୍ଟେମ୍ବରରେ ହ୍ରାସ ପାଇବ । କିନ୍ତୁ ଜୁନ ମାସରେ ଦେଶରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇରେ ଭଲ ବର୍ଷା ହୋଇଥିଲା ।

ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ଓଡ଼ିଶା ପ୍ରବେଶ କରିଥିବା ବେଳେ ଜୁନ ମାସରେ ପାଖାପାଖି ୩୯% ନିଅଣ୍ଟିଆ ବର୍ଷା ହୋଇଥିଲା । କିନ୍ତୁ ଜୁଲାଇ ପହିଲାରୁ ରାଜ୍ୟ‌ରେ ମୌସୁମୀ ସକ୍ରିୟ ହେବା ଫଳରେ ଓ ୨ଟି ଲଘୁଚାପ ପ୍ରଭାବରେ ଜୁଲାଇରେ ଭଲ ବର୍ଷା ହୋଇଛି। ଜୁଲାଇରେ ଏଥର ୮% କମ୍‌ ବର୍ଷା ହୋଇଥିବା ‌ବେଳେ ଏହା ସ୍ବାଭାବିକ ପରିସରଭୁକ୍ତ । ଅଗଷ୍ଟ ମାସରେ ବି ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆଇଏମଡିର ପୂର୍ବାନୁମାନ ପରେ କୃଷକଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।

 

ସମ୍ବନ୍ଧିତ ଖବର