ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା : ସ୍କାଏମେଟ୍

ହାଇଦ୍ରାବାଦ : ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ୨୦୨୨ ବର୍ଷ ପାଇଁ ମୌସୁମୀ ପୂର୍ବାନୁମାନ ରିପୋର୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍ କହିଛି ।

ସ୍କାଏମେଟର ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ ରେ ମୌସୁମୀ ବର୍ଷା ଦୀର୍ଘ ମିଆଦି ହାରାହାରିର ୯୮ ପ୍ରତିଶତ (+/-5%) ରହିବ । ଅର୍ଥାତ ଦୀର୍ଘ ମିଆଦୀ ହାରାହାରି ବର୍ଷା ୮୮୦.୬ ମିଲିମିଟର ଧରାଯାଇଥିବାବେଳେ ଚଳିତ ବର୍ଷ ମୌସୁମୀ ୪ ମାସ (ଜୁନ-ସେପ୍ଟେମ୍ବର)ରେ ତାହାର ୯୮ ପ୍ରତିଶତ ରହିବ ଓ ତାହା ୫ ପ୍ରତିଶତ କମ ବା ଅଧିକ ହୋଇପାରେ ।

ଗତ ଫେବ୍ରୁଆରି ମାସରେ ସ୍କାଏମେଟ୍ ପକ୍ଷରୁ ପ୍ରକାଶିତ ମୌସୁମୀର ଆଗୁଆ ଆକଳନରେ ବି ଏବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି କୁହାଯାଇଥିଲା । ଏହି ରିପୋର୍ଟରେ ବର୍ଷା ୯୬ରୁ ୧୦୪ ପ୍ରତିଶତ ରହିବ ବୋଲି କୁହାଯାଇଥିଲା । ଏଣୁ ଏପ୍ରିଲ ମାସରେ ପ୍ରକାଶିତ ସଦ୍ୟତମ ରିପୋର୍ଟରେ ସ୍କାଏମେଟ ନିଜର ଫେବ୍ରୁଆରି ଆକଳନକୁ ପ୍ରାୟତଃ ଅପରିବର୍ତ୍ତିତ ରଖିଛି ।

ସ୍କାଏମେଟର ସିଇଓ ୟୋଗେଶ ପାଟିଲ କହିଛନ୍ତି ଏ ବର୍ଷ ମୌସୁମୀ ପ୍ରବାହ ଉପରେ ଏଲ ନିନୋର ପ୍ରଭାବ କମ ରହିବା ଆଶା କରାଯାଉଛି । ଏଣୁ ସ୍ବାଭାବିକ ମୌସୁମୀ ବର୍ଷା ହେବ । ତେବେ ମଝିରେ ଏକ ଲମ୍ବା ସମୟ ପାଇଁ ଶୁଖିଲା ପଡ଼ିପାରେ ଓ କିଛି ସମୟ ପାଇଁ ପ୍ରବଳ ବର୍ଷା ଲାଗି ରହିପାରେ । ମୌସୁମୀ ଋତୁର ପ୍ରଥମାର୍ଦ୍ଧରେ ପ୍ରବଳ ବର୍ଷା ହେବ । ତେବେ ଦ୍ବିତୀୟାର୍ଦ୍ଧରେ ଅପେକ୍ଷାକୃତ କମ ବର୍ଷା ହେବ ।

 

 

ସମ୍ବନ୍ଧିତ ଖବର