ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି କେରଳ ଛୁଇଁଛି । ଏହା ଫଳରେ କେରଳରେ ଆସନ୍ତା ଦୁଇ ତିନିଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ କେରଳରେ ମୌସୁମୀ ପ୍ରବେଶ କରିଛି ଓ ଏହାର ଅଗ୍ରଗତି ପାଇଁ ପରିସ୍ଥିତି ଅନୁକୂଳ ରହିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ । ଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ହାରାହାରି ୧୦୭ ପ୍ରତିଶତ ବୃଷ୍ଟିପାତ ରହିବ, କେନ୍ଦ୍ରୀୟ ଭାରତରେ ୧୦୩ ପ୍ରତିଶତ, ଦକ୍ଷିଣ ଭାରତରେ ୧୦୨ ପ୍ରତିଶତ ଓ ଉତ୍ତର ଓ ପୂର୍ବଭାରତରେ ୯୭ ପ୍ରତିଶତ ରହିବ ।
Quantitatively, monsoon season rainfall for the country as a whole is likely to be 102% of the LPA with a model error of ±4%.
— India Met. Dept. (@Indiametdept) June 1, 2020
ସେହିପରି ଜୁଲାଇରେ ସ୍ବାଭାବିକଠାରୁ ୩ ପ୍ରତିଶତ ଅଧିକ ଓ ଅଗଷ୍ଟରେ ସ୍ବାଭାବିକଠାରୁ ୩ ପ୍ରତିଶତ କମ ବର୍ଷା ହେବ ।
କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସ୍ବାଭାବିକ ବର୍ଷା ସରକାରଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଦେଶର ଏକ ବଡ଼ଭାଗ ଚାଷ ଉପରେ ନିର୍ଭର କରୁଥିବାରୁ ମୌସୁମୀ ପ୍ରବାହ ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଏବର୍ଷ ଦକ୍ଷିଁଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ନିଜର ଆଗୁଆ ପୂର୍ବାନୁମାନରେ କୁହାଯାଇଥିଲା ।