ଉତ୍ତର ଗୁଜରାଟରେ ରାହୁଲଙ୍କ ପ୍ରଚାର: ଜୟ ଶାହ ମାମଲାରେ ମୋଦିଙ୍କୁ ଘେରିଲେ

ଅହମଦାବାଦ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟରେ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ନବସର୍ଜନ ଯାତ୍ରା ଆଜିଠାରୁ ଆରମ୍ଭ କରିଛନ୍ତି। ଉତ୍ତର ଗୁଜରାଟର ୬ଟି ଜିଲ୍ଲାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାହୁଲ ମାରାଥନ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଆଜି ରାହୁଲ ପ୍ରଥମ ଦିବସରେ ବିମୁଦ୍ରାକରଣ, ଜିଏସ୍‌୍‌ଟି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ସିଂହଙ୍କ ସମ୍ପତ୍ତି ବୃଦ୍ଧି ମାମଲାରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜୟ ଶାହ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ମୁହଁ ନ ଖୋଲିବାର କାରଣ କ’ଣ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଗୁଜରାଟରେ କିଛି ହାତଗଣତି ଲୋକଙ୍କ ବିକାଶ ହିଁ ରାଜ୍ୟ ସରକାରଙ୍କ ଏଜେଣ୍ଡାରେ ରହିଛି ବୋଲି ସେ କହିଛନ୍ତି। ଆଗାମୀ ନିର୍ବାଚନରେ ଗୁଜରାଟ ହିଁ ଦେଶକୁ ରାସ୍ତା ଦେଖାଇବ ଏବଂ ମୋଦି ସରକାରର ପତନ ଘଟାଇବ ବୋଲି ସେ କହିଛନ୍ତି। ଗୁଜରାଟରେ କଂଗ୍ରେସ ସରକାର ଗଠନ କରିବା ପରେ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ବିମୁଦ୍ରାକରଣ ଯୋଗୁଁ ଦେଶର ସଚ୍ଚୋଟ ବ୍ୟକ୍ତିମାନେ ବ୍ୟାଙ୍କ ସମ୍ମୁଖରେ ଛିଡ଼ା ହେବାକୁ ବାଧ୍ୟ ହୋଇଥିବା ବେଳେ ବ୍ୟାଙ୍କ ପଛପଟେ ଚୋରମାନଙ୍କ ସମାଗମ ହେଉଥିଲା ବୋଲି ରାହୁଲ କହିଛନ୍ତି। ଜିଏସ୍‌୍‌ଟିକୁ ନେଇ କେନ୍ଦ୍ର ସରକାର ଦିଗହରା ହୋଇଯାଇଛନ୍ତି ଏବଂ ସମଗ୍ର ଦେଶ ପାଇଁ ଗୋଟିଏ ଟିକସ ଲାଗୁ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି। ଆଜି ରାହୁଲ ପ୍ରଚାର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଗାନ୍ଧୀ ନଗର ସ୍ଥିତ ଅକ୍ଷରଧାମ ମନ୍ଦିର ଯାଇଥିଲେ।

ସମ୍ବନ୍ଧିତ ଖବର