ନୂଆଦିଲ୍ଲୀ: ଉତ୍ତର ଭାରତ ଆଜି ଭୂକମ୍ପରେ ଥରି ଉଠିଛି। ଦିଲ୍ଲୀ ଏବଂ ଆଖାପାଖ ଅଞ୍ଚଳ ତଥା ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଅରୁଣାଚଳପ୍ରଦେଶରେ ଆଜି ଭୂକମ୍ପର ଶକ୍ତ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ। ପ୍ରଥ‌ମେ ନେପାଳରେ ଆଜି ୬.୨ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଉତ୍ତର ଭାରତରେ ଏହାର ଝଟ୍‌କା ଅନୁଭୂତ ହୋଇଥିଲା। ନେପାଳରେ ମାତ୍ର ଘଣ୍ଟାକ ମଧ୍ୟରେ ୪ ଥର ଭୂକମ୍ପ ହୋଇଛି। ଆଜି ଅପରାହ୍ନ ୨.୨୫ ସମୟରେ ନେପାଳରେ ପ୍ରଥମେ ଭୂକମ୍ପ ହୋଇଥିଲା। ମାତ୍ର ୨୫ ମିନିଟ୍‌ ମଧ୍ୟରେ ନେପାଳରେ ୪.୬ ଏବଂ ୬.୨ ତୀବ୍ରତାର ୨ଟି ଭୂକମ୍ପ ହୋଇଥିଲା। ଏହାର ୧୫ ମିନିଟ୍‌ ପରେ ୩.୮ ତୀବ୍ରତାର ଭୂକମ୍ପ ହୋଇଥିଲା ଏବଂ ଏହାର ୧୩ ମିନିଟ୍‌ ପରେ ୩.୧୯ ତୀବ୍ରତାର ଏକ ଭୂକମ୍ପ ହେଇଥିଲା।

Advertisment

ସେହିପରି ଅରୁଣାଚଳ ପ୍ରଦେଶରେ ଆଜି ୫.୨ ତୀବ୍ରତାର ଭୂକମ୍ପ ହୋଇଛି ଏବଂ ଉତ୍ତରପ୍ରଦେଶରେ ଏହାର କିଛି ସମୟ ପରେ ୩.୩ ତୀବ୍ରତାର ଭୂକମ୍ପ ହୋଇଛି। ଲକ୍ଷ୍ନୌ, ହାପୁର ଏବଂ ଅମରୋହା ସମେତ ଉତ୍ତରପ୍ରଦେଶର ୩୦ଟି ଜିଲ୍ଲାରେ ଆଜି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଚଣ୍ଡିଗଡ଼ ଏବଂ ଜୟପୁରରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ‌ତେବେ ନେପାଳ କିମ୍ବା ଭୂକମ୍ପ ପ୍ରଭାବିତ ଅନ୍ୟ ଅଞ୍ଚଳଗୁଡ଼ିକରେ କୌଣସି କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ମିଳିନାହିଁ। ଭୂକମ୍ପ ‌ଯୋଗୁଁ ଅନେକ ଲୋକ ସେମାନଙ୍କ ଘର ଏବଂ ଅଫିସରୁ ବାହାରକୁ ଚାଲି ଆସିଥିଲେ। ତେବେ ଦିଲ୍ଲୀ ପୁଲିସ ଲୋକମାନଙ୍କୁ ଭୟଭୀତ ନହେବାପାଇଁ କହିଥିଲା।