ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ଏବଂ ଅନେକ ଅଞ୍ଚଳରେ ଶୂନ୍ୟ ଦୃଶ୍ୟମାନତା ଜଟିଳ ସ୍ଥିତି ସୃଷ୍ଟି କରିଛି। ସମଗ୍ର ଉତ୍ତର ଭାରତରେ ଶତାଧିକ ବିମାନ ଏବଂ ଅନେକ ଟ୍ରେନ୍ ବିଳମ୍ବିତ ହୋଇଛି। ଘନ କୁହୁଡ଼ି ଯୋଗୁଁ ସଡ଼କ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ହରିୟାଣାର ହିସାରରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ରନୱେ ଦୃଶ୍ୟମାନତା ଶୂନ ଥିବାରୁ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ଏବଂ କେତେକ ବିମାନର ଦିଗ ପରିବର୍ତ୍ତନ ଯାଇଥିଲା। ୫୨୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିବା ବେଳେ ପ୍ରାୟ ୬୦ଟି ବିମାନକୁ ବାତିଲ କରାଯାଇଛି। ଦିଲ୍ଲୀ ବିମାନବନ୍ଦରରୁ ରାତି ୧୨ଟା ୧୫ରୁ ୧ଟା ୩୦ ମଧ୍ୟରେ ୧୫ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।
ହରିୟାଣାରେ ଦୁର୍ଘଟଣା, ୪ ମୃତ
ଦିଲ୍ଲୀରେ ୫୨୦ ବିମାନ ପ୍ରଭାବିତ
କୋଲକାତା ବିମାନ ବନ୍ଦରରେ ୮୦ରୁ ଅଧିକ ବିମାନ ଚଳାଚଳ ବିଳମ୍ବିତ ହୋଇଥିବା ବେଳେ ୫ଟି ବାତିଲ କରାଯାଇଛି ବୋଲି ଫ୍ଲାଇଟ୍ ମନିଟରିଂ ପ୍ଲାଟଫର୍ମ ଫ୍ଲାଇଟ୍ରାଡାର ପକ୍ଷରୁ କୁହାଯାଇଛି। ଚଣ୍ଡିଗଡ଼, ଅମୃତସର, ଆଗ୍ରା ଓ ଉତ୍ତର ଭାରତର ଅନ୍ୟ କେତେକ ବିମାନବନ୍ଦରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ଓ ସଡ଼କ ଚଳାଚଳ ବାଧାପ୍ରାପ୍ତ ହେବା ସହ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି। ହରିୟାଣାର ହିସାରରେ କୁହୁଡ଼ିଜନିତ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ, ନଏଡା, ଗୁରୁଗ୍ରାମ, ଲକ୍ଷ୍ନୌ, ଆଗ୍ରା, କର୍ନାଲ, ଗାଜିଆବାଦ, ଅମୃତସର, ଜୟପୁର ଓ ଅନ୍ୟାନ୍ୟ ସ୍ଥାନରେ ଭିଜିବିଲିଟି ହ୍ରାସ ଯୋଗୁଁ ଗାଡ଼ିଗୁଡ଼ିକ ଅତ୍ୟନ୍ତ କମ୍ ବେଗରେ ଚଳାଚଳ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରି ସହରରେ ‘ଅତି ଘନ କୁହୁଡ଼ି’ ସୃଷ୍ଟି ହେବାର ସତର୍କ ସୂଚନା ଜାରି କରିଛି। ଶନିବାର ସକାଳ ସାଢ଼େ ୫ଟାରେ ସହରର ତାପମାତ୍ରା ୧୦.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ଏହା ୯.୬ ଡିଗ୍ରି ଥିଲା। ସଦ୍ୟତମ ଉପଗ୍ରହ ଚିତ୍ରରେ ସମଗ୍ର ଇଣ୍ଡୋ-ଗାଙ୍ଗେୟ ସମତଳ ଅଞ୍ଚଳ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/05/kIpDJtzfMYgNwx0IXA7r.jpg)