ଚୀନ୍‌ରେ ଉତ୍ତର କୋରିଆ ଶାସକ!

ବେଜିଂ: ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଆଜି ଆକସ୍ମିକ ଭାବେ ଚୀନ୍‌ ରାଜଧାନୀ ବେଜିଂରେ ପହଞ୍ଚିଥିବା ଜଣାପଡ଼ିଛି। ୨୦୧୧ରେ ଶାସନଭାର ଗ୍ରହଣ କରିବା ଦିନଠାରୁ ପ୍ରଥମଥର ପାଇଁ କିମ୍‌ ଜଙ୍ଗଙ୍କ ବିଦେଶ ଗସ୍ତ କରିଛନ୍ତି। ଯଦିଓ କିମ୍‌ କେଉଁଠି ରହିବେ ଓ କାହା ସହିତ ଭେଟ ହେବେ ସେନେଇ କୌଣସି ସୂଚନା ମିଳିପାରି ନାହିଁ ତେବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ଓ ତାଙ୍କ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି। କିମ୍‌ଙ୍କ ଚୀନ୍‌ ଗସ୍ତ ସମ୍ପର୍କରେ ମାତ୍ର ୩ଜଣଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ଆଜି ସକାଳୁ ବେଜିଂରେ ଉତ୍ତରକୋରିଆର ଉଚ୍ଚପଦସ୍ଥ ଅଧିକାରୀମାନେ ପଇଁତରା ମାରୁଥିଲା ବେଳେ ଜାପାନର ଏକ ଗଣମାଧ୍ୟମରେ କିମ୍‌ଙ୍କ ଚୀନ୍‌ ଗସ୍ତ ସମ୍ପର୍କରେ ଖବର ପ୍ରସାରିତ ହୋଇଥିଲା। ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ କିମ୍‌ ବେଜିଂ ଗସ୍ତ କରିଥିବା ନେଇ ଉକ୍ତ ଟିଭି ଚ୍ୟାନେଲରେ ଖବର ପ୍ରସାରିତ ହେବା ପରେ ପ୍ରକୃତରେ ସେଭଳି ଏକ ସ୍ୱତନ୍ତ୍ର ଟ୍ରେନ୍‌ ବେଜିଂରେ ପହଞ୍ଚିଛି। ନିଜର ବିସ୍ତାରବାଦୀ ନୀତି ଯୋଗୁଁ ପଡୋଶୀ ଦେଶଙ୍କ ସହ ଶତ୍ରୁତା ରଖୁଥିବା ଚୀନ୍‌ ଓ ସାରା ବିଶ୍ୱକୁ ଧ୍ୱଂସ କରିବାର ଧମକ ଦେଉଥିବା ଉତ୍ତର କୋରିଆ ମଧ୍ୟରେ କି ପ୍ରକାର ଆଲୋଚନା ହେବାକୁ ଯାଉଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ବାରମ୍ବାର ପରମାଣୁ ବୋମା ଓ ମିସାଇଲ୍‌ ପରୀକ୍ଷଣ କରି ସାରା ବିଶ୍ୱକୁ ଭୟଭୀତ କରୁଥିବା ଉତ୍ତରକୋରିଆ ସହ ଆମେରିକା ଆଲୋଚନା ପାଇଁ ରାଜି ହେବା ପରେ କୋରିଆ ମୁଖ୍ୟ ବେଜିଂ ଗସ୍ତ କରିଛନ୍ତି। ତେବେ ଏସଂପର୍କରେ ଚୀନ ବୈଦେଶିକ ବିଭାଗ କିଛି ଜାଣିନଥିବା କହିଛି।

ସମ୍ବନ୍ଧିତ ଖବର