କୋଭିଡ୍‌ ପାଇଁ ଦକ୍ଷିଣ କୋରିଆ ସୀମାନ୍ତ ନିକଟରେ ଥିବା ‘ଅଜ୍ଞାତ ଜିନିଷ’କୁ ଦାୟୀ କଲା ଉତ୍ତର କୋରିଆ

ସିଓଲ୍: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ପାଇଁ ଦକ୍ଷିଣ କୋରିଆ ସୀମାବର୍ତ୍ତୀ ଅଞ୍ଚଳରେ ଥିବା କ‌ୌଣସି ‘ଅଜ୍ଞାନ୍ତ ଜିନିଷ’କୁ ଉତ୍ତର କୋରିଆ ଦାୟୀ କରିଛି।

ଶୁକ୍ରବାର ଦିନ ଉତ୍ତର କୋରିଆ କହିଛି, ଦକ୍ଷିଣ କୋରିଆ ସୀମାନ୍ତରେ ଥିବା ‘ଅଜ୍ଞାତ ଜିନିଷ’କୁ ସ୍ପର୍ଶ କରିଥିବା ଲୋକଙ୍କୁ ପ୍ରଥମେ କୋଭିଡ୍‌-୧୯ ଆକ୍ରାନ୍ତ କରିଥିଲା। ଏଭଳି କହି ଉତ୍ତର କୋରିଆ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବିସ୍ତାର ପାଇଁ ପ୍ରକାରାନ୍ତରେ ଦକ୍ଷିଣ କୋରିଆକୁ ଦାୟୀ କରିଛି।

ତଦନ୍ତର ଫଳାଫଳ ଘୋଷଣା କରି ଉତ୍ତର କୋରିଆ ତା’ର ଜନସାଧାଣଙ୍କୁ ଆଦେଶ ଦେଇ କହିଛି ଯେ, ସେ ଚିହ୍ନିତ ରେଖା ଏବଂ ସୀମାନ୍ତ ଅଞ୍ଚଳକୁ ପବନ ଏବଂ ଝଡ଼ବର୍ଷଦ୍ବାରା ଉଡ଼ି ଆସୁଥିବା ଅଜ୍ଞାନ୍ତ ପଦାର୍ଥ ପ୍ରତି ସତର୍କ ରୁହନ୍ତୁ।

ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ ଅନୁସାରେ, ଏପ୍ରିଲ୍‌ ପ୍ରାରମ୍ଭରେ ପୂର୍ବାଞ୍ଚଳ କାଉଣ୍ଟି କୁମ୍‌ଗାଙ୍ଗ୍‌ ଅନ୍ତର୍ଗତ ବାରାକ୍‌ ଏବଂ ଆବାସିକ କ୍ବାର୍ଟର୍ସ ଚାରିପଟେ ଥିବା ପାହାଡ଼ରେ ପଡ଼ିଥିବା କୌଣସି ଅଜ୍ଞାତ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ଜଣେ ୧୮ ବର୍ଷିୟ ସୈନିକ ଏବଂ କିଣ୍ଡର୍‌ଗାର୍ଟେନ୍‌ ଯାଉଥିବା ଜଣେ ୫ ବର୍ଷିୟ ପିଲାଙ୍କ ଠାରେ ଲକ୍ଷଣ ଦେଖା ଦେଇଥିଲା। ପରେ ସେମାନେ କରୋନାଭାଇରସ୍‌ ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣାପଡ଼ିଲା।

Image Courtesy of NDTV

ତଦନ୍ତ ରିପୋର୍ଟ ଦର୍ଶାଉଛି ଯେ, ଜ୍ବର ହୋଇଥିବା କେତେକ ବ୍ୟକ୍ତି ଏପ୍ରିଲ୍‌ ମଧ୍ୟ ଭାଗରେ କଙ୍ଗୱନ୍‌ ପ୍ରଦେଶର କୁମ୍‌ଗାଙ୍ଗ୍‌ କାଉଣ୍ଟି ଅନ୍ତର୍ଗତ ଆଇଫୋ-ରି ଅଞ୍ଚଳରୁ ରାଜଧାନୀ ସହରକୁ ଆସିଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କୁ ମଧ୍ୟ ଭୀଷଣ ଜ୍ବର ହୋଇଥିଲା ବୋଲି ‘କେସିଏନ୍‌ଏ’ ରିପୋର୍ଟରେ ଉଲ୍ଲେଖ ଅଛି।

ଏହାଛଡ଼ା, ଏପ୍ରିଲ୍‌ ମଧ୍ୟ ଭାଗ ପୂର୍ବରୁ ଯେତେ ସବୁ ଜ୍ବର ମାମଲା ରିପୋର୍ଟ ହୋଇଥିଲା ତାହା ଅନ୍ୟାନ୍ୟ ରୋଗଜନିତ ବୋଲି ‘କେସିଏନ୍‌ଏ’ କହିଛି।

ସମ୍ପ୍ରତି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଉଛି ବୋଲି ଉତ୍ତର କୋରିଆ ଦାବି କରିଥିବା ବ‌େଳେ ବିଶେଷଜ୍ଞମାନେ କହୁଛନ୍ତି ଯେ, ସରକାରୀ ନିୟନ୍ତ୍ରଣାଧୀନ ଗଣମାଧ୍ୟମ ଆକ୍ରାନ୍ତମାନଙ୍କ ସଠିକ୍‌ ସଂଖ୍ୟା ପ୍ରକାଶ କରୁନାହାନ୍ତି।

ଆଜି ଉତ୍ତର କୋରିଆ ଆଉ ୪,୫୭୦ ଜ୍ବର ଲକ୍ଷଣ ରିପୋର୍ଟ କରିଛି। ଏହାକୁ ମିଶାଇ ବିଳମ୍ବିତ ଏପ୍ରିଲ୍‌ରୁ ଏଯାବତ୍‌ ୪.୭୪ ନିୟୁତ ଜ୍ବର ରୋଗୀ ରେକର୍ଡ କରାଗଲାଣି।

ସମ୍ବନ୍ଧିତ ଖବର