ଜାତିସଂଘ ମୁଖ୍ୟ ଗୁଟେରେସ୍‌ଙ୍କୁ ଆମେରିକାର ଖେଳନା ବୋଲି କହିଲା ଉତ୍ତର କୋରିଆ

ସିଓଲ୍‌ (ଦକ୍ଷିଣ କୋରିଆ): ଅଳ୍ପ ଦିନ ତଳେ ଉତ୍ତର କୋରିଆର ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଆମେରିକା ସହିତ ମିଶି ନିନ୍ଦା କରିଥିବାରୁ ଜାତିସଂଘର ମୁଖ୍ୟଙ୍କୁ ଆଜି ଉତ୍ତର କୋରିଆ ‘ଯୁକ୍ତରାଷ୍ଟ୍ର ଆମେରିକା’ର ଖେଳନା ବୋଲି କହିଛି।

ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ସୋଏ ସୋନ୍‌ ହୁୟି ଜାରି କରିଥିବା ବିବୃତିରେ କହିଛନ୍ତି, ଜାତିସଂଘର ମହାସଚିବ ଯୁକ୍ତରାଷ୍ଟ୍ର ଆମେରିକାର ହ୍ବାଇଟ୍‌ ହାଉସ୍‌ ଅଥବା ତା’ର ବୈଦେଶିକ ବିଭାଗର ଜଣେ ସଦସ୍ୟ ବୋଲି ମୋର ସବୁବେଳେ ମନେହୁଏ। ଜାତିସଂଘର ମହାସଚିବ ଅତି ଲଜ୍ଜାଜନକ ମନୋଭାବ ପୋଷଣ କରିଥିବାରୁ ଅତ୍ୟନ୍ତ ଦୁଃଖିତ। ସେ ଜାତିସଂଘ ଚାର୍ଟର୍‌ ଏବଂ ଜାତିସଂଘର ସଠିକ୍‌ ଅଭିଯାନ ପ୍ରତି ଅସତର୍କ ହୋଇଯାଉଛନ୍ତି। ସବୁକ୍ଷେତ୍ରରେ ନିରପେକ୍ଷତା, ବିଚାରବନ୍ତ ଓ ସମାନତା ବଜାୟ ରଖିବା ଜାତିସଂଘର ଉଦ୍ଦେଶ୍ୟ।

Image Courtesy of The Globe and Mail

ସୋଏ ଅଭିଯୋଗ କରିଛନ୍ତି ଯେ, ଉତ୍ତର କୋରିଆର ‘ଆଇସିବିଏମ୍‌’ ପରୀକ୍ଷଣ କଥାକୁ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଉପସ୍ଥାପନା କରିବା କଥା ପ୍ରତି ଗୁଟେରେସ୍‌ ଦୃଷ୍ଟି ଦେଇନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ, ସେ ଆମେରିକାର ହାତ ବାରସି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଉତ୍ତର କୋରିଆ ‘ଆଇସିବିଏମ୍‌’ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ଜାପାନର ଅନୁରୋଧକ୍ରମେ ସୋମବାର ସକାଳେ ଜାତିସଂଘ ନିରାପତ୍ତା ପରିଷଦ୍‌ ଜରୁରୀ ବୈଠକ ଡକାଇଥିଲା। ଏହାଛଡ଼ା, ଉତ୍ତର କୋରିଆର ଉପରୋକ୍ତ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ମଧ୍ୟ ତୀବ୍ର ନିନ୍ଦା କରି ବିବୃତି ଜାରି କରିଥିଲେ।

ସମ୍ବନ୍ଧିତ ଖବର