ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ବିବାଦ ବଢୁଛି ପଛେ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ଏବଂ ଇରାନ ଲଗାତାର ସପ୍ତମ ଦିନ ପାଇଁ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଚାଲିଛନ୍ତି। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ଅନେକ ହସ୍ପିଟାଲ୍ କ୍ଷତିଗ୍ରସ୍ତ ହୋଇଛି। ସେଠାରୁ ଧୂଆ ବାହାରୁ୍ଥିବାର ଦେଖିବାକୁ ମିଳିଛି। ତେବେ ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଏବେ ସାରା ବିଶ୍ବରେ ତୃତୀୟ ବିଶ୍ବ ଯୁଦ୍ଧର ଭୟ ସୃଷ୍ଟି କରିଛି।
ଏହାରି ମଧ୍ୟରେ ଏବେ କ୍ଷେଭ ପ୍ରକାଶ କରିଛି ଉତ୍ତର କୋରିଆ। ରାଗରେ ଉତ୍ତର କୋରିଆ କହିଛି ଯେ ଇସ୍ରାଏଲ ହେଉଛି ଶାନ୍ତି ପାଇଁ କର୍କଟ ରୋଗ ସଦୃଶ। ଅର୍ଥାତ ଶାନ୍ତିକୁ କ୍ଷୁର୍ଣ୍ଣ କରିବାରେ ଇସ୍ରାଏଲ୍ କର୍କଟ ରୋଗର ଭୂମିକା ନିଭାଏ। ଦୁନିଆରୁ ଶାନ୍ତି ଓ ସୁରକ୍ଷା କ୍ଷୁର୍ଣ୍ଣ କରିବାରେ ଇସ୍ରାଏଲ୍ ସବୁଠାରୁ ଆଗରେ ବୋଲି କହିଛି ଉତ୍ତର କୋରିଆ।
ଉତ୍ତର କୋରିଆର ତାନାଶାହ କିମ୍ ଜୋଙ୍ଗ୍ ଉନ୍ଙ୍କର ଜଣେ ପ୍ରବକ୍ତା ଇରାନ୍ ଉପରେ ଇସ୍ରାଏଲ୍ର ଆକ୍ରମଣକୁ ନିନ୍ଦା କରି ଏପରି କହିଛନ୍ତି। ସେ ଏହାକୁ ମାନବିକତା ବିରୋଧରେ ଏକ ଅପରାଧ ବୋଲି କହି ଚେତାବନୀ ବି ଦେଇଛନ୍ତି।
ଏପଟେ ଏକ ଲାଇଭ୍ କାର୍ଯ୍ୟକ୍ରମକୁ ସାମ୍ବାଧନ କଲା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଘୋଷଣା କରିଛନ୍ତି ଯେ ଦେଶ ଏକତାରେ ରହିଛି ଏବଂ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।
ଇରାନକୁ ଆତ୍ମସମର୍ପଣ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଯାହାର ଜବାବରେ, ଖାମେନି ଏପରି ଏକ କଠୋର ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି କି ଯେକୌଣସି ଆମେରିକୀୟ ସାମରିକ ଆକ୍ରମଣ "ଗମ୍ଭୀର ଅପୂରଣୀୟ ପରିଣାମ" ଆଣିବ।