ଟ୍ରମ୍ପ୍‌ଙ୍କ ସହ ଦ୍ୱିତୀୟ ଶିଖର ବୈଠକ ବିଫଳ ହେବାରୁ ୫ ଜଣ ଅଧିକାରୀଙ୍କୁ ହତ୍ୟା କରିଛି ଉତ୍ତର କୋରିଆ

ସିଓଲ୍‌: ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ବିଫଳ ହେବା କାରଣରୁ ଉତ୍ତର କୋରିଆ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ତା’ର ସ୍ୱତନ୍ତ୍ର ଦୂତଙ୍କୁ ହତ୍ୟା କରିଥିବା ଖବର ଶୁକ୍ରବାର ଦିନ ଦକ୍ଷିଣ କୋରିଆର ଗୋଟାଏ ସମ୍ବାଦପତ୍ର ପ୍ରକାଶ କରିଛି।

‘ଚୋସୁନ୍‌ ଇଲ୍‌ବୋ’ ନାମକ ଉକ୍ତ ଖବରକାଗଜର ରିପୋର୍ଟ ଅନୁସାରେ, ହାନୋଇ ବୈଠକର କ୍ଷେତ୍ର ପ୍ରସ୍ତୁତ କରିଥିବା ଓ କିମ୍‌ଙ୍କ ସହ ତାଙ୍କ ବ୍ୟକ୍ତିଗତ ଟ୍ରେନ୍‌ରେ ଯାତ୍ରା କରିଥିବା କିମ୍‌ ହାୟୋକ୍‌ ଚୋଲ୍‌ଙ୍କୁ ସର୍ବୋଚ୍ଚ ନେତାଙ୍କ ସହ ବିଶ୍ୱାସଘାତକତା କରିଥିବା କାରଣରୁ ଫାୟାରିଙ୍ଗ୍‌ ସ୍କ୍ଵାଡ୍‌ ଦ୍ୱାରା ହତ୍ୟା କରାଯାଇଛି।

ଅଜ୍ଞାତସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ସେ ଖବରକାଗଜରେ ପ୍ରକାଶ ପାଇଛି ଯେ ତଦନ୍ତ ପରେ ମିରିମ୍‌ ବିମାନବନ୍ଦରରେ ବୈଦେଶିକ ମନ୍ତ୍ରାଳୟର ଚାରି ଜଣ ବରିଷ୍ଠ ଅଧିକାରୀଙ୍କ ସମେତ କିମ୍‌ ହାୟୋକ୍‌ ଚୋଲ୍‌ଙ୍କୁ ମାର୍ଚ ମାସରେ ହତ୍ୟା କରାଯାଇଛି।

ଅନ୍ୟ ଅଧିକାରୀମାନଙ୍କର ନାମ ପ୍ରକାଶ କରାଯାଇ ନାହିଁ।

ଏ ଖବର ସଂକ୍ରାନ୍ତରେ କୌଣସି ଟିପ୍ପଣୀ ଦେବାକୁ ଦକ୍ଷିଣ କୋରିଆର ୟୁନିଫିକେସନ୍‌ ମିନିଷ୍ଟ୍ରି ମନା କରି ଦେଇଛି।

ଶିଖର ବୈଠକରେ ଭୁଲ୍‌ କରିଥିବା କାରଣରୁ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କର ଭାଷାନ୍ତରକାରୀ ସିନ୍‌ ହାଇ ୟୋଙ୍ଗ୍‌ଙ୍କୁ ମଧ୍ୟ ପ୍ରିଜନ୍‌ କ୍ୟାମ୍ପ୍‌କୁ ପଠାଇ ଦିଆଯାଇଛି। ଟ୍ରମ୍ପ୍‌ ‘ନୋ ଡିଲ୍‌’ କହି ଟେବୁଲ୍‌ ଛାଡ଼ି ଚାଲିଯିବା ପରେ ବିଚାରୀ କିମ୍‌ଙ୍କର ନୂତନ ପ୍ରସ୍ତାବକୁ ଅନୁବାଦ କରିବାକୁ ଅସମର୍ଥ ହୋଇଥିଲେ ବୋଲି ‘ଚୋସୁନ୍‌’ ଅଜ୍ଞାତ କୂଟନୈତିକ ସୂତ୍ରରୁ ରିପୋର୍ଟ କରିଛି।

ପାୟୋଙ୍ଗ୍ୟାଙ୍ଗ୍‌ର ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କୌଣସି ରାଜିନାମାରେ ପହଞ୍ଚି ନ ପାରିବାରୁ କିମ୍‌ ଜୋଙ୍ଗ୍‌ ଉନ୍‌ ଏବଂ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଭିଏତ୍‌ନାମ୍‌ର ରାଜଧାନୀରୁ ଫେରି ଆସିଥିଲେ।

ମେ ମାସରେ ଉତ୍ତର କୋରିଆ ଦୁଇଟି ସର୍ଟ-ରେଞ୍ଜ୍‌ ମିସାଇଲ୍‌ ପରୀକ୍ଷା କରିଛି।

ସମ୍ବନ୍ଧିତ ଖବର