ଟୋକିଓ: ଶନିବାର ଦିନ ଉତ୍ତର କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଆଶଙ୍କା କରି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜରୁରୀକାଳୀନ ସତର୍କତା ଜାରି କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କିଶିଦା ଜାରି କରିଥିବା ନିର୍ଦେଶାବଳିରେ ଉଲ୍ଲେଖ ଅଛି ‌ଯେ, ସୂଚନା ସଂଗ୍ରହ ଓ ବିଶ୍ଳେଷଣ କରିବାରେ ଅଧିକ ସମୟ ଦେଇ ସର୍ବସାଧାରଣଙ୍କୁ ତୁରନ୍ତ ଯଥେଷ୍ଟ ସୂଚନା ଯୋଗାଇ ଦିଅନ୍ତୁ। ବିମାନ, ପ‌ୋତ ଓ ଅନ୍ୟାନ୍ୟ ସମ୍ପତ୍ତି ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। ଭବିଷ୍ୟତର ଯେକୌଣସି ବିପତ୍ତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତି କରିବା ଭଳି ସମସ୍ତ ସମ୍ଭାବ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ।

ଜାପାନୀ ସରକାରୀ ଅଧିକାରୀଙ୍କସୂତ୍ରରୁ ଉଦ୍ଧାର କରି ‘ଏନ୍‌ଏଚ୍‌କେ ୱାର୍ଲଡ୍‌’ ରିପୋର୍ଟ କରିଛି ଯେ, ଉତ୍ତର କୋରିଆ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରଟି ଜାପାନର ‘ଏକ୍‌ସ୍‌କ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ (ଇଇଜେଡ୍‌) ବାହାରେ ପଡ଼ିଥିବା ପରି ମନେହେଉଛି।

publive-image Image Courtesy of United News of India

ଏହାଦ୍ବାରା ଜାପାନ ସହିତ ସମ୍ପୃକ୍ତ ଥିବା କୌଣସି ପୋତ ନଷ୍ଟ ହୋଇଥିବା ଖବର ମିଳିନାହିଁ ବୋଲି ଜାପାନୀ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଦକ୍ଷିଣ କୋରିଆର ‘ୟୋନ୍‌ହାପ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି କି, ଶନିବାର ଦିନ ଉତ୍ତର କୋରିଆ ସମ୍ଭବତଃ ପୂର୍ବ ସାଗର ଆଡ଼କୁ ଦୁଇଟି ସ୍ବଳଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଆମେରିକା ଓ ଦକ୍ଷିଣ କୋରିଆ ନୌସମରାଭ୍ୟାସ ଶେଷ କରିବାର ଦିନକ ପରେ ଉପରୋକ୍ତ ଘଟଣା ଘଟିଛି। ଦକ୍ଷିଣ କ‌ୋରୀୟ ସେନା କହିଛି ଯେ, ଗ୍ୟାଙ୍ଗ୍‌ୱନ୍‌ ପ୍ରଦେଶର ମୁନ୍‌ଚୋନ୍‌ରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇଥିବା କଥ‌ା ସେମାନେ ଜାଣିପାରିଛନ୍ତି।

ଉଲ୍ଲେଖ‌ଯୋଗ୍ୟ, ମଙ୍ଗଳବାର ଦିନ ଉତ୍ତର କୋରିଆ ନିକ୍ଷେପ କରିଥିବା ଅଜ୍ଞାତ କ୍ଷେପଣାସ୍ତ୍ରଟି ଜାପାନ ଉପର ଦେଇ ଅତିକ୍ରମ କରିଥିଲା।  ଚଳିତ ବର୍ଷ ଉତ୍ତର କୋରିଆ ରେକର୍ଡସଂଖ୍ୟକ କ୍ଷେପଣାସ୍ତ୍ର ନି‌କ୍ଷେପ କଲାଣି।