ଆଜିକୁ ମିଶାଇ ଚଳିତ ମାସରେ ୬ ଥର କ୍ଷେପଣାସ୍ତ୍ର ପରୀକ୍ଷା କଲାଣି ଉତ୍ତର କୋରିଆ

ସିଓଲ୍‌: ଆଜି ଉତ୍ତର କୋରିଆ ସମୁଦ୍ର ମଧ୍ୟକୁ ଅନ୍ୟୂନ ଗୋଟିଏ ଅଜଣା କ୍ଷେପଣାସ୍ତ୍ର  ନିକ୍ଷେପ କରିଛି। ଏହାକୁ ମିଶାଇ ଚଳିତ ମାସରେ ଉତ୍ତର କୋରିଆ ୬ଟି ‌କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା କଥା ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି। ଆଜି ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଟି ‘ବାଲିଷ୍ଟିକ୍‌’ ଥିଲା କି, ନାହିଁ କିଂବା ତାହା କେତେ ଦୂର ଗତି କରିଛି, ସେ ସମ୍ପର୍କରେ ତୁରନ୍ତ କ‌ୌଣସି ସୂଚନା ମିଳିପାରିନାହିଁ।

ଦୀର୍ଘ ଦିନ ଧରି ଆଣବିକ ଉତ୍ତର କୋରିଆ ଏବଂ ଯୁକ୍ତରାଷ୍ଟୟ ଆମେରିକା ମଧ୍ୟରେ ଅସ୍ତ୍ରଶସ୍ତ୍ର ସଙ୍କ୍ରାନ୍ତ ଆଲୋଚନା ଅଚଳାବସ୍ଥାରେ ଥିବା ବେଳେ ବାଇଡେନ୍‌ ପ୍ରଶାସନ ଉପରେ ଚାପ ପକାଇବାକୁ ସମ୍ପ୍ରତି ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷା ଆଦି କାର୍ଯ୍ୟକଳାପ ବୃଦ୍ଧି କରିଥିବା କୁହାଯାଉଛି।

Image Courtesy of US News

ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ଜାରି କଟକଣା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଉତ୍ତର କୋରିଆର ଅର୍ଥନୀତିକୁ କରୋନାଭାଇରସ୍‌ ମହାମାରୀ ଆହୁରି ଦୋହଲାଇ ଦେବା କାରଣରୁ ଉତ୍ତର କୋରିଆ ନୂଆ ଚାପ ପ୍ରୟୋଗ କରୁଛି।

ଆମେରିକା ଉପରେ ପଡ଼ିଲା ଭଳି ଆଣବିକ ବିସ୍ଫୋରକଧାରୀ ଦୂରଗାମୀ ‌କ୍ଷେପଣାସ୍ତ୍ରଗୁଡ଼ିକର ପୁନଃ ପରୀକ୍ଷା କରାଯିବ ବୋଲି ଗତ ସପ୍ତାହରେ ଉତ୍ତର କୋରିଆ ପ୍ରକାରାନ୍ତରେ ଧମକ ଦେଇଥିଲ।। ଯୁକ୍ତରାଷ୍ଟ୍ର ଆମେରିକା ସହ କୂଟନୈତିକସ୍ତରୀୟ ଆଲୋଚନା ପରେ ୨୦୧୮ରୁ ଉତ୍ତର କୋରିଆ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଥିଲା।

ସମ୍ବନ୍ଧିତ ଖବର