ଗୋଟିଏ ‘ଆଇସିବିଏମ୍‌’ କ୍ଷେପଣାସ୍ତ୍ର ସମେତ ୩ଟି କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ: ସିଓଲ୍‌

ସିଓଲ୍‌: ଆଜି ଉତ୍ତର କୋରିଆ ପରୀକ୍ଷା କରିଥିବା ୩ଟି କ୍ଷେପଣାସ୍ତ୍ରରୁ ଗୋଟିଏ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ବୋଲି ସନ୍ଦେହ ହେଉଥିବା କଥା ଦକ୍ଷିଣ କୋରିଆ ସରକାର କହିଛନ୍ତି।

ଦକ୍ଷିଣ କ‌ୋରିଆ ସରକାର କହିଛନ୍ତି, ଉତ୍ତେଜନା ଉଦ୍ରେକକାରୀ ଏହି ସବୁ କ୍ଷେପଣାସ୍ତ୍ର ପରୀକ୍ଷା ଆନ୍ତର୍ଜାତିକ ଶାନ୍ତି ପ୍ରତି ବିପଜ୍ଜନକ। ଏଭଳି ଉତ୍ତେଜନା ସୃଷ୍ଟି କଲେ ଉତ୍ତର କୋରିଆ ଆନ୍ତର୍ଜାତିକସ୍ତରରେ ଏକଘରିଆ ହେବା ଛଡ଼ା କିଛି ଲାଭ ହେବନାହିଁ।

ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ବିବୃତିରେ କହିଛନ୍ତି ଯେ, ଆଜି ସକାଳ ୬ଟାରୁ ୭ ମଧ୍ୟରେ ପିୟୋଙ୍ଗ୍ୟାଙ୍ଗ୍‌ ନିକଟରୁ ଗୋଟିକ ପରେ ଗୋଟିଏ ନିକ୍ଷେପ କରାଯାଇଥିବା ୩ଟିଯାକ କ୍ଷେପଣାସ୍ତ୍ର ଉତ୍ତର କୋରିଆର ପୂର୍ବ ଉପକୂଳର ସୁଦୂର ସମୁଦ୍ର ଆଡ଼କୁ ଗତି କରିଥିଲା।

Image Courtesy of Reuters

ଉତ୍ତର କୋରିଆର ଏହି ଦୂରଗାମୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ‘ମେନ୍‌ଲାଣ୍ଡ୍‌’ ଉପରେ ଆଣବିକ ଆକ୍ରମଣ କରିବାର ସାମର୍ଥ୍ୟ ହାସଲ କରିବା।

ପୂର୍ବରୁ ମଧ୍ୟ ଦକ୍ଷିଣ କୋରିଆର ସେନା କହିଥିଲା କି, ଦୁଇ ସପ୍ତାହ ପରେ ପୁନର୍ବାର ପୂର୍ବ ଉପକୂଳରେ ଉତ୍ତର କୋରିଆ ୩ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏସିଆ ଗସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହେବା ପରେ ଉତ୍ତର କ‌ୋରିଆ ଏହି ସବୁ କ୍ଷେପଣାସ୍ତ୍ର ପରୀକ୍ଷା ଆରମ୍ଭ କରିଛି।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସ୍ବଳ୍ପରେ ଅବଗତ କରାଯାଇଥିବା କଥା ହ୍ବାଇଟ୍‌ ହାଉସ୍‌ କହିଛି। ଅଧିକ କିଛି ସୂଚନା ଆସିଲେ ତାହା ମଧ୍ୟ ରାଷ୍ଟ୍ରପତିଙ୍କୁ ଜଣାଇ ଦିଆଯିବ ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।

ସମ୍ବନ୍ଧିତ ଖବର