ସିଓଲ୍‌: ଗତ ବିଳମ୍ବିତ ରାତ୍ରରେ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କିଛି ସମୟ ପରେ ଆଜି ପ୍ରତ୍ୟୁଷରେ ପୁଣି ଉତ୍ତର କୋରିଆ ଅନ୍ୟୂନ ଗୋଟାଏ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।

Advertisment

ପ୍ୟୋଙ୍ଗ୍ୟାଙ୍ଗ୍‌ ଆମେରିକା ଅଥବା ଦକ୍ଷିଣ କୋରିଆ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କଲେ ଉତ୍ତର କୋରିଆ ଶାସନର ଅସ୍ତିତ୍ବ ରହିବ ନାହିଁ ବୋଲି ସିଓଲ୍‌ ଓ ୱାସିଂଟନ୍‌ ଚେତାବନୀ ଦେବା ସତ୍ତ୍ବେ ଉତ୍ତର କୋରିଆ ଲଗାତାର କ୍ଷେପଣାସ୍ତ୍ର ନିକ୍ଷେପଣ କରିଛି।

ସିଓଲ୍‌ର ‘ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଆଜି ସକାଳେ କହିଛନ୍ତି, ଉତ୍ତର କୋରିଆ ପୂର୍ବ ସାଗର ଆଡ଼କୁ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

publive-image Image Courtesy of The Jerusalem Post

ସୂଚନାଯୋଗ୍ୟ, ଜାପାନର ସମୁଦ୍ର ନାମରେ ଜଣାଶୁଣା ଜଳରାଶିକୁ ପୂର୍ବ ସାଗର କୁହାଯାଏ।

ଅଧିକ ସୂଚନା ନ ଦେଇ ‘ଏକ୍ସ୍‌’ କରି ଜାପାନ ସରକାର କହିଛନ୍ତି, ଉତ୍ତର କ‌ୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଭଳି ମନେ ହେଉଥିବା ଗୋଟାଏ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ରବିବାର ବିଳମ୍ବିତ ରାତ୍ରରେ ବି ପ୍ୟୋଙ୍ଗ୍ୟାଙ୍ଗ୍‌ ଅଞ୍ଚଳରୁ ଗୋଟାଏ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା କଥା ଦକ୍ଷିଣ କୋରିଆ କହିଛି। ସିଓଲ୍‌ର ‘ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି, ପୂର୍ବ ସାଗରରେ ପଡ଼ିଥିବା ଉକ୍ତ କ୍ଷେପଣାସ୍ତ୍ର ୫୭୦ କିଲୋମିଟର୍‌ ପର୍ଯ୍ୟନ୍ତ ଗତି କରିଥିଲା।

ଏହି କ୍ଷେପଣାସ୍ତ୍ର ଜାପାନର ‘ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ (ଇଇଜେଡ୍‌) ବାହାରେ ପଡ଼ିଥିବା ପରି ମନେ ହେଉଥିବା କଥା ‘ଏଟିଭି’ ରିପୋର୍ଟ କରିଛି।