ସିଓଲ୍‌: ଲଢୁଆ ବିମାନ ଉଡ଼ାଇବା ସହ ଉତ୍ତର ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଆଜି ଦକ୍ଷିଣ କୋରିଆ ସେନା କହିଛି।

Advertisment

ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ଙ୍କ (ଜେସିଏସ୍‌) ବିବୃତି ଉକ୍ତ କ୍ଷେପଣାସ୍ତ୍ର ବିଷୟରେ ସୂଚନା ମିଳିଛି। ସେଥିରେ ସେ କହିଛନ୍ତି, ଶୁକ୍ରବାର ରାତି (ଗତରାତି) ୧.୪୯ ରେ ଉକ୍ତ କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ରାଜଧାନୀ ଅଞ୍ଚଳରୁ ଉତ୍‌କ୍ଷେପଣ କରାଯାଇଛି।

publive-image Image Courtesy of Reuters

ଦକ୍ଷିଣ କୋରିଆ ‘ଜିସିଏସ୍’ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ଓ ପଶ୍ଚିମ ଉପସାଗରୀୟ ସୀମାନ୍ତ ଅଞ୍ଚଳରେ ଉତ୍ତର କୋରିଆ କମାଣରୁ ୧୭୦ ରାଉଣ୍ଡ୍‌ ଗୋଳା ଫୁଟାଇଛି। ଉତ୍ତେଜନା ହ୍ରାସ ନିମନ୍ତେ ୨୦୧୮ରେ ଉତ୍ତର ଓ ଦକ୍ଷିଣ କୋରିଆ ସଂସ୍ଥାପନ କରିଥିବା ସାମୁଦ୍ରିକ ‘ବଫର୍‌ ଜୋନ୍‌’ରେ ମଧ୍ୟ ଉକ୍ତ ଗୋଳା ପଡ଼ିଥିଲା। ଏହା ୨୦୧୮ ରାଜିନାମାର ଉଲ୍ଲଂଘନ।

ଦକ୍ଷିଣ କୋରିଆ ପୁଣି କହିଛି ଯେ, କୋରିଆ ଅଭ୍ୟନ୍ତର ସୀମାନ୍ତର ଉତ୍ତର ପ୍ରାନ୍ତ ନିକଟରେ ଲଢୁଆ ବିମାନ ଉଡୁଥିଲା। ଦେଇଥିବା ବିବୃତିରେ ‘ଜେସିଏସ୍’ କହିଛନ୍ତି ଯେ, ପ୍ରାୟ ୧୦ଟି ଉତ୍ତର କୋରିଆ ଲଢୁଆ ବିମାନ ଉତ୍ତର ଓ ଦକ୍ଷିଣ କୋରିଆକୁ ବିଭାଜନ କରୁଥିବା ସୀମାନ୍ତ ନିକଟରେ ପଇଁତରା ମାରିଥିଲେ।

ଉତ୍ତର କୋରିଆର ସରକାରୀ ନିଉଜ୍ ଏଜେନ୍‌ସି ‘କେସିଏନ୍‌ଏ’ ଦେଶର ସେନା ବିବୃତିକୁ ଉଦ୍ଧୃତି କରି ରିପୋର୍ଟ କରିଛି ଯେ, ଏହା ହେଉଛି ଗୁରୁବାର ଦିନ ଦକ୍ଷିଣ କୋରିଆ କରିଥିବା କମାଣ ଫୁଟା ଅଭ୍ୟାସର ଦୃଢ଼ ମୁକାବିଲା।