ଭିଡିଓ ଓ ଧାର୍ମିକ କାର୍ଯ୍ୟକଳାପ ସେୟାର କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଦେଉଛି ଉତ୍ତର କୋରିଆ

ସିଓଲ : ନିଶା କାରବାର ଏବଂ ଦକ୍ଷିଣ କୋରିଆର ଭିଡିଓ ଓ ଧାର୍ମିକ କାର୍ଯ୍ୟକଳାପ ସାମାଜିକ ଗଣମାଧ୍ୟମରେ ସେୟାର କରିବା ଅପରାଧରେ ଉତ୍ତର କୋରିଆ ନିଜ ନାଗରିକମାନଙ୍କୁ ମୃତ୍ୟୁଦଣ୍ଡ ଦେଉଥିବା ଦକ୍ଷିଣ କୋରିଆରୁ ପ୍ରକାଶିତ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଉତ୍ତର କୋରିଆରୁ ଦକ୍ଷିଣ କୋରିଆକୁ ପଳାୟନ କରିଥିବା ୫୦୦ରୁ ଅଧିକ ଲୋକଙ୍କଠାରୁ ସଂଗ୍ୟହୀତ ତଥ୍ୟକୁ ଭିତ୍ତି କରି ଏହି ରିପୋର୍ଟ ପକ୍ରାଶ ପାଇଛି।

୪୫୦ ପୃଷ୍ଠାର ଏହି ରିପୋର୍ଟରେ ଦକ୍ଷିଣ କୋରିଆର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଉତ୍ତର କୋରିଆରେ ନାଗରିକମାନଙ୍କର ବଞ୍ଚିବାର ମୌଳିକ ଅଧିକାର ବିପନ୍ନ। ନିଶା କାରବାର, ଧାର୍ମିକ କାର୍ଯ୍ୟକଳାପ ଓ ଭିଡିଓ ସେୟାରିଂ ପରି ସାମାନ୍ୟ ଅପରାଧ ପାଇଁ ସେ ଦେଶରେ ମୃତ୍ୟୁଦଣ୍ଡ ଦିଆଯାଉଛି। ସେଠାରେ ମାନବାଧିକାରର ଗୁରୁତର ଉଲ୍ଲଂଘନ କରାଯାଉଛି। ସେ ଦେଶରେ ମନଇଚ୍ଛା ଲୋକଙ୍କୁ ଗିରଫ କରାଯାଉଛି, ଅଟକ ଶିବିରଗୁଡ଼ିକରେ ଲୋକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି ଏବଂ ସାମାନ୍ୟ ଦୋଷ ପାଇଁ ମୃତ୍ୟୁଦଣ୍ଡ ଦିଆଯାଉଛି। ଉତ୍ତର କୋରିଆ ନିଜର ଆଣବିକ ଓ କ୍ଷେପଣାସ୍ତ୍ର ସହ ସାମରିକ ଶକ୍ତି ବୃଦ୍ଧି କରିଚାଲିଥିବା ବେଳେ ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି ପ୍ରତି ଆଦୌ ଗୁରୁତ୍ବ ଦେଉ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ବିଭିନ୍ନ ବେସରକାରୀ ସଂଗଠନ ଦ୍ବାରା ସଂଗୃହୀତ ତଥ୍ୟ ଓ ରିପୋର୍ଟ ଆଧାରରେ ଏହି ସରକାରୀ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର