ସବୁଠୁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ୍‌: ବୁଧବାର ଦିନ ଉତ୍ତର କୋରିଆ ତା’ର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ପରୀକ୍ଷା କରିଛି। ତାହା ଏକ ଇଣ୍ଟର୍‌ କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ହୋଇ ଥାଇ ପାରେ ବୋଲି କୁହାଯାଉଛି। ଓ୍ଵାସିଂଟନ୍‌ ଏବଂ ସମଗ୍ର ଆମେରିକୀୟ ଉପକୂଳ ସେ କ୍ଷେପଣାସ୍ତ୍ର ରେଞ୍ଜ୍‌ରେ ଆସି ପାରେ।

ଭୋର୍‌ ୩. ୧୭ ମିନିଟ୍‌ ସମୟରେ ଏହି କ୍ଷପଣାସ୍ତ୍ର ପରୀକ୍ଷା କରାଯାଇଛି ବୋଲି ଜଣା ପଡ଼ିଛି। ନିକଟରେ ଟ୍ରମ୍ପ୍‌ ପ୍ରଶାସନ ଉତ୍ତର କୋରିଆକୁ ଆତଙ୍କବାଦି ପ୍ରାୟୋଜକ ଦେଶ ବୋଲି କହିଥିଲା। ଆଜିର ଏ କ୍ଷେପଣାସ୍ତ୍ର ପରୀକ୍ଷା ଟ୍ରମ୍ପ୍‌ ପ୍ରଶାସନ ପ୍ରତି ଉତ୍ତର କୋରିଆର ବେଖାତିର ବୋଲି ସ୍ପଷ୍ଟ ଭାବେ ଜଣା ଯାଉଛି। ଏହା କୂଟନୈତିକ ଉଦ୍ୟମକୁ ନଷ୍ଟ କରିବା ସହ ଯୁଦ୍ଧର ଭୟ ସୃଷ୍ଟି କରିଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତକାଳୀନ ଅଲିମ୍ପିକ୍‌ ଖେଳର ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ଏହା ପ୍ରଭାବିତ କରିବ।


Image Courtesy of TOI

ଆଣବିକ ଅସ୍ତ୍ରବାହୀ ଦୂରଗାମୀ କ୍ଷେପଣାସ୍ତ୍ର ଉପରେ ଉତ୍ତର କୋରିଆ ଉତ୍ତମ ରୂପେ ଦକ୍ଷତା ହାସଲ କରିବା ଆଗରୁ ଆମେରିକା ତା’ ଉପରେ ଆକ୍ରମଣ କରିପାରେ ବୋଲି ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁଉନ୍‌ ଜାଏ-ଇନ୍‌ କହିଛନ୍ତି। କେତେକ ବିଶେଷଜ୍ଞ କହୁଛନ୍ତି ଯୁଦ୍ଧ ଖୁବ୍‌ ଶୀଘ୍ର ହୋଇ ପାରେ।

ସିଓଲ ଅନୁମୋଦନ ବିନା ଆମେରିକା ଉତ୍ତର କୋରିଆ ଉପରେ ଆକ୍ରମଣ କରି ପାରିବ ନାହିଁ ବୋଲି ଉଦାରବାଦୀ ନେତା ମୁଉନ୍‌ ଥରକୁ ଥର କହି ଆସୁଛନ୍ତି। କିନ୍ତୁ, ଉତ୍ତର କୋରିଆର ଏ ଭଳି ଆଚରରେ ଆମେରିକା ଆଉ ଦକ୍ଷିଣର ଅନୁମୋଦନକୁ ଅପେକ୍ଷା କରି ନ ପାରେ ବୋଲି ତାଙ୍କର ଆଶଙ୍କା ହେଉଛି।

ଶେଷ ଥର ପାଇଁ ସେପ୍ଟେମ୍ବର ୧୫ ତାରିଖରେ ଉତ୍ତର କୋରିଆ ଗୋଟିଏ ମଧ୍ୟମ-ଦୂରଗାମୀ ରେଞ୍ଜ୍‌ର କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା।
ଆଜିର କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ପୂର୍ବ ପରୀକ୍ଷିତ କ୍ଷେପଣାସ୍ତ୍ରଗୁଡ଼ିକ ଠାରୁ ଉନ୍ନତ ବୋଲି ମନେ ହେଉଛି।


Image Courtesy of WSMV Nashville

ବିଧିବଦ୍ଧ ଭାବେ ଉତ୍‌କ୍ଷେପଣ କରାଗଲେ ତାହା ୧୩, ୦୦୦ କିଲୋମିଟର୍‌ରୁ ଦୂରକୁ ଯାଇ ପାରିବ ବୋଲି ଆମେରିକୀୟ ବୈଜ୍ଞାନିକ ଡେଭିଡ୍‌ ରାଇଟ୍‌ କହିଛନ୍ତି। ତେଣୁ ଏହା ସିଧାସଳଖ ଓ୍ଵାସିଂଟନ୍‌ ଡି. ସି. ଉପରେ ପଡ଼ି ପାରିବ।

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଇତ୍‌ସୁନୋରି ଓନୋଡେରା କହିଛନ୍ତି ଯେ କ୍ଷେପଣାସ୍ତ୍ରଟି ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ ‘ସି ଅଫ୍‌ ଜାପାନ୍‌’ରେ ପଡ଼ିଛି। ଏହା ସ୍ଥାନ ଆମୋରି ଠାରୁ ପ୍ରାୟ ୨୫୦ କିଲୋମିଟର ଦୂର। ତାହା ମୁଖ୍ୟ ଦ୍ୱୀପ ହୋନ୍‌ସୁର ଉତ୍ତର ଭାଗରେ ଅବସ୍ଥିତ। କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ହ୍ଵାସୋଙ୍ଗ୍‌-୧୪ ଆଇସିବିଏମ୍‌ କ୍ଷେପଣାସ୍ତ୍ରର ଉନ୍ନତ ରୂପ ହୋଇ ଥାଇପାରେ ବୋଲି ଓନୋଡେରା କହିଛନ୍ତି।

କ୍ଷେପଣାସ୍ତ୍ର ପରୀକ୍ଷା ଖବର ଶୁଣି ଟ୍ରମ୍ପ୍‌ କହିଛନ୍ତି, ଆମେରିକା ତା’ର ଖବର ବୁଝିବ। ସବିଶେଷ କହି ନ ଥିଲେ ମଧ୍ୟ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଛନ୍ତି, ଏ ଭଳି ପରିସ୍ଥିତିକୁ ଆମେ ହିଁ ବୁଝିବୁ।

Image Courtesy of KOIN. com

ପେଣ୍ଟାଗନ୍‌ ମୁଖପାତ୍ର କର୍ଣ୍ଣେଲ୍‌ ରବ୍‌ ମ୍ୟାନିଙ୍ଗ୍‌ କହିଛନ୍ତି ଯେ ଉତ୍ତର କୋରିଆର ସୈନ୍‌ ନି ଠାରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ୧୦୦୦ କିଲୋମିଟର୍‌ ଯିବା ପରେ ତାହା ‘ସି ଅଫ୍‌ ଜାପାନ’ରେ ପଡ଼ିଥିଲା। ପ୍ରାୟ ୫୩ ମିନିଟ୍‌ କାଳ ତାହା ଗତି କରିଥିବା କଥା କହୁଛନ୍ତି ଜାପାନର ପ୍ରତିରକ୍ଷା ମନ୍ତ୍ରୀ।

ଜାପାନ, ଆମେରିକା ଏବଂ ଦକ୍ଷିଣ କୋରିଆର ଅନୁରୋଧ କ୍ରମେ ଏଥିପାଇଁ ଜାତିସଂଘ ନିରାପତ୍ତା ପରିଷଦ୍‌ ବୁଧବାର ଅପରାହ୍ଣରେ ଏକ ଜରୁରୀ ବୈଠକ ଡକାଇଛି।

ସମ୍ବନ୍ଧିତ ଖବର