ନିଜ ସହର ଉପରେ ପଡିଲା ଉତ୍ତରକୋରିଆର ଦିଗଭ୍ରଷ୍ଟ କ୍ଷେପଣାସ୍ତ୍ର

ଧୋକାଦେଲା ଚାଇନାଠୁ ମାଗି ଆଣିଥିବା ଟେକନଲୋଜି

ଲଣ୍ଡନ: ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷା କରି ସାରା ବିଶ୍ୱ ବିଶେଷକରି ଆମେରିକାକୁ ଧମକାଉଥିବା ଉତ୍ତରକୋରିଆ ନିଜର କ୍ଷେପଣାସ୍ତ୍ର ଟେକନଲୋଜୀକୁ ନେଇ ଅନେକ ବଡ଼ ବଡ଼ କଥା କହୁଛି । ତା କ୍ଷେପଣାସ୍ତ୍ର ରେଞ୍ଜରେ ସମଗ୍ର ଆମେରିକା ଆସୁଥିବା କଥା କହୁଛି । କିନ୍ତୁ ମିସାଇଲ ଟେକନଲୋଜୀରେ ଯେ ଏହି ଛୋଟ ଦେଶଟି ଆମେରିକାର କାଣି ଅଙ୍ଗୁଳିକୁ ସରି ନୁହେଁ, ତାହା ଏବେ ପ୍ରମାଣିତ ହୋଇଯାଇଛି । ତେବେ ଏହା ଜଣାଶୁଣା କଥା ଯେ ଉତ୍ତର କୋରିଆ ଚୀନର କ୍ଷେପଣାସ୍ତ୍ର ଟେକନଲୋଜୀ ବ୍ୟବହାର କରୁଛି । ସବୁ ଚୀନ ଟେକନଲୋଜୀ ପରି କ୍ଷେପଣାସ୍ତ୍ର ଟେକନଲୋଜୀକୁ ବି ଭରଷା କରିହେବ ନାହିଁ ତାହା ପ୍ରମାଣିତ କରିଛି ଉତ୍ତର କୋରିଆ ।

ଉତ୍ତରକୋରିଆ ପକ୍ଷରୁ ଗତ ବର୍ଷ ଏପ୍ରିଲମାସରେ ଏକ ମିସାଇଲ ପରୀକ୍ଷା କରାଯାଇଥିଲା । କ୍ଷେପଣାସ୍ତ୍ରଟି ସଫଳତାର ସହ ଲକ୍ଷ୍ୟ ଭେଦ କରିଥିବା ଉତ୍ତରକୋରିଆ ସେତେବେଳେ ଦାବି କରିଥିଲା । କିନ୍ତୁ ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ ଏହି କ୍ଷେପଣାସ୍ତ୍ରଟି ଲକ୍ଷ୍ୟଚ୍ୟୁତ ହୋଇ ନିକଟସ୍ଥ ଏକ ଛୋଟ ସହର ଟକଚନ୍‌ରେ ପଡିଥିଲା । ୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରଟି ଉତ୍ତରକୋରିଆ ରାଜଧାନୀ ପେଙ୍ଗୟାଙ୍ଗଠାରୁ ପ୍ରାୟ ୯୦ ମାଇଲ ଦୂରରେ ଅବସ୍ଥିତ । କ୍ଷେପଣାସ୍ତ୍ରଟି ଉଠିବାର ମାତ୍ର ୧ ମିନିଟ ମଧ୍ୟରେ ଏହାର ପ୍ରଥମ ପର୍ଯ୍ୟାୟଟି ବିଫଳ ହୋଇଥିଲା ଓ ତାହା ଦିଗଭ୍ରଷ୍ଟ ହୋଇ ଟକଚନ ଆଡ଼କୁ ଗତି କରିଥିଲା । କ୍ଷେପଣାସ୍ତ୍ରଟି ସହରର ଜନବସତିରେ ମାଡ ହେବା ସହ ପ୍ରବଳ ବିସ୍ଫୋରଣ ହୋଇଥିଲା, ଫଳରେ ଅନେକ ଲେକ ମରିଥିବା ସଂଦେହ କରୁଛି ଆମେରିକୀୟ ଗୁଇନ୍ଦା ସଂସ୍ଥା । ତେବେ ପ୍ରକୃତରେ କେତେ ଲୋକ ମରିଛନ୍ତି ତାହା ଜାଣିବା ସମ୍ଭବ ନୁହେଁ, କାରଣ ଉତ୍ତରକୋରିଆର ଅନେକ ଘଟଣାବାହାର ଦୂନିଆକୁ ଜଣାପଡେନାହିଁ । ସେଠାକାର ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ଗୋପନୀୟତା ରକ୍ଷା କରନ୍ତି ।

ସିଆଇଏର ଏହି ରିପୋର୍ଟରେ କୁହାଯାଇଛି ଯେ ଅନେକ ସମୟରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଗୁଡିକ ଦିଗଭ୍ରଷ୍ଟ ହେଉଛି । କିନ୍ତୁ କୌଣସି କ୍ଷେପଣାସ୍ତ୍ର ଦିଗଭ୍ରଷ୍ଟ ହୋଇ ଯଦି ଜାପାନ ବା ଦକ୍ଷିଣ କୋରିଆ ଆଡ଼କୁ ଯାଏ ତେବେ ଯୁଦ୍ଧ ଆରମ୍ଭ ହୋଇଯିବା ସୁନିଶ୍ଚିତ ।

ସମ୍ବନ୍ଧିତ ଖବର