- ସିଓଲ: ଉତ୍ତର କୋରିଆ ତା’ର ଶତ୍ରୁ ରାଷ୍ଟ୍ରମାନଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛି। ଯେ କୌଣସି ଆକ୍ରମଣକୁ ପ୍ରତିହତ କରିବା ସହ ପ୍ରଥମେ ନିଜ ଆଡ଼ୁ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିଛି। ଅକ୍ଟୋବର ୧୦ରୁ ୧୮ ତାରିଖ ମଧ୍ୟରେ ଉତ୍ତର କୋରିଆ ଆକ୍ରମଣ କରିପାରେ ବୋଲି ଦକ୍ଷିଣ କୋରିଆ ଆଜି ଆଶଙ୍କା ବ୍ୟକ୍ତ କରିଛି। ୧୦ ଅକ୍ଟୋବର ଉତ୍ତର କୋରିଆର କ୍ଷମତାସୀନ ଓ୍ଵର୍କର୍ସ ପାର୍ଟି ଅଫ୍ କୋରିଆର ସ୍ଥାପନା ଦିବସ ଥିବାରୁ ଏହି ଅବସରରେ ନିଜ ଶକ୍ତି ଦେଖାଇବାକୁ ଶାସକ କିମ୍ ଜଙ୍ଗ୍ ଉନ୍ ଉଦ୍ୟମ କରିବେ ବୋଲି ଦକ୍ଷିଣ କୋରିଆ କହିଛି। ଯୁଦ୍ଧପାଇଁ ଉତ୍ତର କୋରିଆର ରଣନୀତିକୁ କିମ୍ ଜଙ୍ଗ୍ ଶେଷ ସ୍ପର୍ଶ ଦେଉଥିବା କୁହାଯାଇଛି ।
- ବ୍ୟାପକ ଅନ୍ତର୍ଜାତୀୟ କଟକଣା ସତ୍ତ୍ୱେ ଉତ୍ତର କୋରିଆ ତା’ର ଯୁଦ୍ଧଖୋର ନୀତିକୁ ଆହୁରି ଉଗ୍ର କରିଥିବାରୁ ଚୀନ୍ ମଧ୍ୟ ଏବେ ଚିନ୍ତାରେ ପଡ଼ିଯାଇଛି। ଯୁଦ୍ଧ ଆରମ୍ଭ ହେଲେ ଏଥିପାଇଁ ଚୀନ୍ ହିଁ ଦାୟୀ ରହିବ ବୋଲି କୂଟନୈତିକ ମହଲର ଆଲୋଚନା ଚୀନ୍ର ଅଡ଼ୁଆ ବଢ଼ାଇ ଦେଇଛି। ଗୋଟିଏ ପଟେ ଉତ୍ତର କୋରିଆ ଆମେରିକା ଓ ଜାତିସଂଘର ଚେତାବନୀକୁ ବେଖାତିର କରି ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଅନ୍ୟପଟେ ଚୀନ୍ର କୌଣସି ପରାମର୍ଶ କିମ୍ବା ତାଗିଦ୍କୁ ଗ୍ରହଣ କରୁନାହିଁ। ଉତ୍ତର କୋରିଆ ରାଜଧାନୀ ପୋଙ୍ଗୟାଙ୍ଗ ସ୍ଥିତ ରକେଟ କେନ୍ଦ୍ରରୁ ଇତିମଧ୍ୟରେ ଅନେକ କ୍ଷେପଣାସ୍ତ୍ର ସ୍ଥାନାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।। ଶକ୍ତିଶାଳୀ ଆଇସିବିଏମ୍ କ୍ଷେପଣାସ୍ତ୍ରଗୁଡ଼ିକୁ ଅତ୍ୟନ୍ତ ଗୁପ୍ତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାରୁ ଏହା ଆମେରିକା ବିରୋଧରେ ଯୁଦ୍ଧର ସଙ୍କେତ ବୋଲି କୁହାଯାଉଛି ।
- ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁଇନ୍ଦା ସଂସ୍ଥା ଉତ୍ତର କୋରିଆର ଯୁଦ୍ଧ ପ୍ରସ୍ତୁତି ସଂପର୍କରେ ରିପୋର୍ଟ ଦେବାପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ମଧ୍ୟ ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି। ଯୁଦ୍ଧ ଆରମ୍ଭ ହେଲେ ପରିସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ କୋରିଆ ଏବଂ ଜାପାନ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାପାନ କ୍ଷେପଣାସ୍ତ୍ର ବିଧ୍ୱଂସି ବ୍ୟବସ୍ଥା ମୁତୟନ କରିଥିବା ବେଳେ ଦକ୍ଷିଣ କୋରିଆକୁ ପୂର୍ଣ୍ଣ ସୁରକ୍ଷା ଦେବାପାଇଁ ଆମେରିକା ଦାୟିତ୍ୱ ନେଇଛି। ଆମେରିକା ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ ଉତ୍ତର କୋରିଆ ସହ କୂଟନୈତିକ ସଂପର୍କ ସ୍ଥାପନ କରି ଶାନ୍ତି ଆଲୋଚନା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ତାହା ଭଣ୍ଡୁର ହୋଇଥିବା ଜଣାପଡ଼ିଛି। ଉତ୍ତର କୋରିଆ ଶାସନ କିମ୍ ଜଙ୍ଗ୍ ଉନ୍ ଏବେ ଆତ୍ମଘାତୀ ମିସନ୍ରେ ଥିବାରୁ କୌଣସି ଭଲ ପରାମର୍ଶ ଗ୍ରହଣ କରୁନଥିବା ସେ କହିଛନ୍ତି।
ଯୁଦ୍ଧ ପାଇଁ ଉତ୍ତର କୋରିଆ ପ୍ରସ୍ତୁତ
/sambad/media/post_attachments/wp-content/uploads/2017/10/kim-648016.jpg)