ସିଓଲ୍ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ଙ୍କର ଆଉ ଏକ ବର୍ବର କାଣ୍ଡ ଏବେ ଲୋକଲୋଚନକୁ ଆସିଛି। ଉତ୍ତର କୋରିଆ ଏହାର ୫ ଜଣ ବରିଷ୍ଠ କୂଟନୈତିକ ଅଧିକାରୀଙ୍କୁ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ମୃତ୍ୟୁଦଣ୍ଡ ଦେଇଛି। କିମ୍ ଜଙ୍ଗ ଉନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ହାନୋଇ ଶିଖର ସମ୍ମିଳନୀ ବିଫଳ ହେବାରୁ ଉତ୍ତର କୋରିଆ ଆମେରିକାରେ ଅବସ୍ଥାପିତ ସ୍ବତନ୍ତ୍ର ପରମାଣୁ ରାଷ୍ଟ୍ରଦୂତ କିମ୍ ହ୍ୟୋକ୍ ଚୋଲ୍ଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଦକ୍ଷିଣ କୋରିଆର ଏକ ଖବରକାଗଜରେ ଏନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। କମି୍ ହ୍ୟୋକ୍ ଚୋଲ୍ଙ୍କ ସମେତ ବିଦେଶ ମନ୍ତ୍ରାଳୟର ଅନ୍ୟ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାପାଇଁ କିମ୍ ଜଙ୍ଗ୍ ଗତ ମାର୍ଚ୍ଚରେ ଏକ ନିର୍ଦ୍ଦେଶନାମା ଜାରି କରିବା ପରେ ସମସ୍ତଙ୍କୁ ମିରିମ୍ ବିମାନ ବନ୍ଦରରେ ଗୁଳି କରି ମାରି ଦିଆଯାଇଛି ।
ଗୁପ୍ତଚର ବୃତ୍ତି ଅଭିଯୋଗରେ କିମ୍ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଥିବା ବେଳେ କୌଣସି ତଦନ୍ତ ନକରି ବରିଷ୍ଠ କୂଟନୈତିକ ଅଧିକାରୀଙ୍କୁ ଏଭଳି ମୃତ୍ୟୁଦଣ୍ଡ ଦିଆଯିବା ଘଟଣା ବିଶ୍ବ ସମୁଦାୟରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଉତ୍ତର କୋରିଆ ସରକାରଙ୍କ ଏଭଳି ଅମାନବୀୟ ପଦକ୍ଷେପ ସଂପର୍କରେ ଦକ୍ଷିଣ କୋରିଆ ସରକାର କୌଣସି ମନ୍ତବ୍ୟ ଦେଇନାହାନ୍ତି। ପରମାଣୁ କ୍ଷେପଣାସ୍ତ୍ର ପରୀକ୍ଷା କରି ସାରା ବିଶ୍ବରେ ଭୟ ସୃଷ୍ଟି କରିଥିବା ଉତ୍ତର କୋରିଆ ପରମାଣୁ କାର୍ଯ୍ୟକ୍ରମରୁ ଦୂରେଇ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅତ୍ୟନ୍ତ ଗୁପ୍ତ ଭାବେ ଉତ୍ତର କୋରିଆ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବା ସନ୍ଦେହ କରାଯାଉଛି। ଉତ୍ତର କୋରିଆର କୌଣସି ପ୍ରତିଶ୍ରୁତିକୁ ବିଶ୍ବାସକୁ ନେବା ଉଚିତ୍ ନୁହେଁ ବୋଲି ଆମେରିକାର ବରିଷ୍ଠ କୂଟନୀତିଜ୍ଞମାନେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ପରାମର୍ଶ ଦେଇଛନ୍ତି। ପରମାଣୁ ଅସ୍ତ୍ର ବାହକ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ମହଜୁଦ କରି ରଖିଥିବା ଉତ୍ତର କୋରିଆକୁ ନେଇ ଆଗକୁ ଆମେରିକାର ଆଭିମୁଖ୍ୟ କଠୋର ହେବ ବୋଲି ଜଣାପଡ଼ିଛି।
ରିପୋର୍ଟରୁ ଜଣାପଡ଼ିଛି ଯେ କିମ୍ ହ୍ୟୋକ୍ କିମ୍ ଜଙ୍ଗ ଉନ୍ଙ୍କ ହାନୋଇ ସମ୍ମିଳନୀର ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥିଲେ। କିମ୍ ଜଙ୍ଗ ଉନ୍ଙ୍କ ଅନୁବାଦକ ଶିନ୍ ହେ ୟ୍ୟୋଙ୍ଗ୍ ଟ୍ରମ୍ପ୍-କିମ୍ ସମ୍ମିଳନୀରେ ଏକ ଭୁଲ୍ କରିଦେଇଥିବାରୁ ତାଙ୍କୁ ମଧ୍ୟ ବନ୍ଦୀ କରି ରଖାଯାଇଛି। ସେ କିମ୍ଙ୍କ ନୂଆ ପ୍ରସ୍ତାବ ଅନୁବାଦ କରିବାରେ ବିଫଳ ହେବାରୁ ଟ୍ରମ୍ପ୍ ‘ନୋ ଡିଲ୍’ ତଥା କୌଣସି ଚୁକ୍ତି ସ୍ବାକ୍ଷର ହୋଇନଥିବା ଘୋଷଣା କରି ଟେବୁଲ୍ ଛାଡ଼ି ଦେଇଥିଲେ।