ଆମେରିକା ସହିତ ମୁକାବିଲା କରିବା ପାଇଁ ଆଣବିକ ଅସ୍ତ୍ର ନିର୍ମାଣ ଛାଡ଼ିବୁ ନାହିଁ: କିମ୍‌ ଜୋଙ୍ଗ୍‌ ଉନ୍‌

ୱାସିଂଟନ୍‌: ଆମେରିକାର ଶତ୍ରୁତାପୂର୍ଣ୍ଣ ମନୋବୃତ୍ତିକୁ ମୁକାବିଲା କରିବା ଲାଗି ଉତ୍ତର କୋରିଆ ଆବଶ୍ୟକ ଆଣବିକ ଅସ୍ତ୍ର ଓ କ୍ଷେପଣାସ୍ତ୍ର ନିର୍ମାଣ ପରିତ୍ୟାଗ କରିବ ନାହିଁ କିମ୍‌ ଜୋଙ୍ଗ୍‌ ଉନ୍‌ କହିଛନ୍ତି।

ଉତ୍ତର କୋରିଆର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ଶେଷରେ ତାଙ୍କ ସରକାରକୁ ଭାଙ୍ଗିବାକୁ ଆମେରିକା ଅଭିଯାନ ଚଳାଇଛି ବୋଲି କିମ୍‌ ଅଭିଯୋଗ କରିଛନ୍ତି।

ଶୁକ୍ରବାର ଦିନ ରାଷ୍ଟ୍ରାୟତ ‘କୋରିୟାନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ (କେସିଏନ୍‌ଏ) ରିପୋର୍ଟ କରିଛି ଯେ, ଗୁରୁବାର ଦିନ ଉତ୍ତର କୋରିଆର ‘ରବର୍‌-ଷ୍ଟାମ୍ପ୍‌’ ପାର୍ଲାମେଣ୍ଟ୍‌ରେ ଉଦ୍‌ବୋଧନ ଦେବା ବେଳେ କିମ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଯଦି ଉତ୍ତର କୋରିଆର ନେତାଙ୍କୁ ଆକ୍ରମଣ କରାଯାଏ ତେବେ ଶତ୍ରୁ ସୈନ୍ୟଙ୍କ ବିରୋଧରେ ଉତ୍ତର କୋରିଆ ଆପଣାଛାଏଁ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ଉତ୍ତର କୋରିଆର ସେନାବାହିନୀକୁ କ୍ଷମତା ଦେବା ପାଇଁ ପାର୍ଲାମେଣ୍ଟ୍‌ରେ ଆଗତ ଆଇନକୁ ସାଂସଦମାନେ ପାରିତ କରିଛନ୍ତି।

Image Courtesy of NDTV

ଏହାଛଡ଼ା, ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ର ଦକ୍ଷିଣ କୋରିଆ ତା’ର ଚିରାଚରିତ ଆକ୍ରମଣ ସାମର୍ଥ୍ୟକୁ ସମ୍ପ୍ରସାରଣ କରିବା ଏବଂ ଉତ୍ତର କୋରିଆ ସହିତ ମୁକାବିଲା କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମିଶି ଚଳାଇଥିବା ବ୍ୟାପକ ସାମରାଭ୍ୟାସକୁ ମଧ୍ୟ କିମ୍‌ ତୀବ୍ର ସମାଲୋଚନା କରିଛନ୍ତି। ଏହା ବିପଜ୍ଜନକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଉତ୍ତେଜନା ବୃଦ୍ଧିକାରୀ ବୋଲି ସେ କହିଛନ୍ତି।

ଉତ୍ତର କୋରିଆ ପ୍ରତି ବିପଦ ଦେଖାଦେଲେ ଆମେରିକା ଓ ଏସିଆରେ ଥିବା ତା’ର ମିତ୍ରରାଷ୍ଟ୍ରମାନଙ୍କ ବିରୋଧରେ ମଧ୍ୟ ଆଣବିକ ଯୁଦ୍ଧ କରିବ‌ ବୋଲି ମଧ୍ୟ କିମ୍‌ ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର