ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିଲା ଉତ୍ତର କୋରିଆ ଛାଡ଼ିଥିବା ଗୁପ୍ତଚର ସାଟେଲାଇଟ୍‌

ସିଓଲ୍‌: ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଆଜି ସକାଳେ ଉତ୍ତର କୋରିଆ ଉତ୍‌କ୍ଷେପଣ କରିଥିବା ଗୋଟାଏ ଗୁପ୍ତଚର କୃତ୍ରିମ ଉପଗ୍ରହ ବା ‘ସ୍ପାଏ ସାଟେଲାଇଟ୍‌’ ସମୁଦ୍ରରେ ପଡ଼ିଯାଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି।

ମହାକାଶରେ ଉତ୍ତର କୋରିଆର କୌଣସି ସ୍ପାଏ ସାଟେଲାଇଟ୍‌ ନ ଥିବାରୁ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଅଧିକ ପ୍ରାଧାନ୍ୟ ଦେଇ ଏହି ‘ମିଲ୍‌ଟାରି ସ୍ପାଏ ସାଟେଲାଇଟ୍‌’ ନିର୍ମାଣ କରାଇଥିଲେ। ନିଜେ ମଧ୍ୟ ଏହାର ଉତ୍‌କ୍ଷେପଣ ପ୍ରକ୍ରିୟା ତତ୍ତ୍ବାବଧାନ କରିଥିଲେ।

ରାଷ୍ଟ୍ରାୟତ ଗଣମାଧ୍ୟମ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି: ଆଜି ସକାଳ ୬.୨୭ରେ ଉତ୍ତର ଫିଓଙ୍ଗାନ୍‌ ପ୍ରଦେଶ ଅନ୍ତର୍ଗତ ଚୋଲ୍‌ସାନ୍‌ କାଉଣ୍ଟିସ୍ଥତି ‘ସୋହାଏ ସାଟେଲାଇଟ୍‌ ଲଞ୍ଚିଙ୍ଗ୍‌ ଗ୍ରାଉଣ୍ଡ୍‌’ରୁ ‘ଚୋଲିମା-୧’ ନାମକ ଗୋଟାଏ ନୂଆ ପ୍ରକାରର ‌ରକେଟ୍‌ଦ୍ବାରା ‘ମାଲିଙ୍ଗ୍ୟୋଙ୍ଗ୍‌-୧’ ନାମରେ ସାମରିକ ସ୍ପାଏ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଥିଲା।

Image Courtesy of Deccan Herald

କିନ୍ତୁ, ସ୍ବାଭାବିକ ଉଡ଼ାଣ ସମୟରେ ପ୍ରଥମ ଇଞ୍ଜିନ୍‌ରୁ ପୃଥକ୍‌ ହେବା ପରେ ଦ୍ବିତୀୟ ଇଞ୍ଜିନ୍‌ ଅସ୍ବାଭାବିକ ଭାବେ ‌ଷ୍ଟାର୍ଟ ହେବା ସମୟରେ ଗତିଶୀଳତା ବଜାୟ ରଖି ନ ପାରି ଏହି ରକେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ପଡ଼ିଗଲା। ଏ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଉତ୍ତର କୋରିଆର ଏହି ସାଟେଲାଇଟ୍‌ ଉତ୍‌‌କ୍ଷେପଣ ଉପରେ ଦୃଷ୍ଟି ରଖିଥିବା ଦକ୍ଷିଣ କୋରିଆ ସେନା କହିଛି, ଅସ୍ବାଭାବିକ ଉଡ଼ାଣ ହେତୁ ଅତି ଶୀଘ୍ର ଏହା ରାଡାରୁ ଅଦୃଶ୍ୟ ହୋଇ ସମୁଦ୍ରରେ ଖସିପଡ଼ିଛି।

ସୂଚନାଯୋଗ୍ୟ, ଜୁନ୍‌ ୧୧ ତାରିଖ ପୂର୍ବରୁ ‘ମିଲ୍‌ଟାରି ରିକନେସେନ୍‌ସ୍‌ ସାଟେଲାଇଟ୍‌ ନମ୍ବର ୧’ ଉତ୍‌କ୍ଷେପଣ କରିବାକୁ ଯୋଜନା କରିଥିବା କଥା ଜାପାନକୁ ଦିନକ ଆଗରୁ ସୁନିଶ୍ଚିତ କରି କହିଥିବା କଥା ମଙ୍ଗଳବାର ଦିନ ଉତ୍ତର କୋରିଆ କହିଥିଲା।

ସମ୍ବନ୍ଧିତ ଖବର