ଯୁଦ୍ଧର ନାସିରେ ନିଅାଁ ଧରାଇଛନ୍ତି ଟ୍ରମ୍ପ୍‌: ଉତ୍ତର କୋରିଆ

ମସ୍କୋ: ଉତ୍ତର କୋରିଆ ସହିତ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଯୁଦ୍ଧର ନାସିରେ ନିଅାଁ ଧରାଇଛନ୍ତି ଏବଂ ତାଙ୍କ ଦେଶରେ ଅଗ୍ନି ପିଣ୍ଡୁଳା ବର୍ଷିବ ବୋଲି ବୁଧବାର ଦିନ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାର କରି ଏକ ରୁଷୀୟ ଖବର ସରବରାହ ସଂସ୍ଥାନ ବୁଧବାର ଦିନ କହିଛି।

ପିୟୋଙ୍ଗ୍ୟାଙ୍ଗ୍‌ର ପରମାଣୁ ଅସ୍ତ୍ର ଏବଂ କ୍ଷେପଣାସ୍ତ୍ର ପରୀକ୍ଷା କାର୍ଯ୍ୟକ୍ରମ ଯୋଗୁଁ ଗତ କେତେ ସପ୍ତାହ ହେବ ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।

ଆମେରିକୀୟ ମେନ୍‌ଲାଣ୍ଡ୍‌ରେ କ୍ଷେପଣ କରିାବ ମାନସରେ ଉତ୍ତର କୋରିଆ କେତେଗୁଡ଼ିଏ କ୍ଷେପଣାସ୍ତ୍ର ଏବଂ ଉଦ୍‌ଜାନ ବୋମା ପରୀକ୍ଷା କରିବା ଏହି ଉତ୍ତେଜନାର କାରଣ।

ରୁଷିଆର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥାନ ଟାସ୍‌କୁ ଉତ୍ତର କୋରିଆର ବୈଦେଶିକ ମନ୍ତ୍ରୀ ରି ୟଙ୍ଗ୍‌ ହୋ କହିଛନ୍ତି ଯେ ତାଙ୍କ ଦେଶର ଆଣବିକ କାର୍ଯ୍ୟକ୍ରମ ଶାନ୍ତି ଏବଂ ନିରାପତ୍ତାର ଗ୍ୟାରେଣ୍ଟି ଦେଉଥିବାରୁ ତାହା ଆଲୋଚ୍ୟ ବିଷୟ ନୁହେଁ।

ଟ୍ରମ୍ପ୍‌ ଜାତିସଂଘରେ ଆକ୍ରମଣାତ୍ମକ ଏବଂ ପାଗଳାମି ବକ୍ତବ୍ୟ ଦେଇ, ଆପଣ କହି ପାରନ୍ତି ଆମ ବିରୋଧରେ ଯୁଦ୍ଧର ନାସିରେ ନିଅାଁ ଧରାଇଛନ୍ତି। ଶବ୍ଦ ନୁହେଁ ଅଗ୍ନି ପିଣ୍ଡୁଳା ବର୍ଷଣ କରି ଆମେ ତାହାର ପରିସମାପ୍ତି କରିବୁ ବୋଲି ରି’ଙ୍କର ଉକ୍ତିକୁ ଉଦ୍ଧାର କରି ଟାସ୍‌ କହିଛି।

ପୂର୍ବରୁ ରି’ ଟ୍ରମ୍ପ୍‌ଙ୍କୁ ପିଶାଚ ରାଷ୍ଟ୍ରପତି କହିଛନ୍ତି ଏବଂ ତାଙ୍କ ମନ୍ତବ୍ୟ ଆମେରିକୀୟ ରାଷ୍ଟ୍ରପତି ଏବଂ ଉତ୍ତର କୋରୀୟ ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ବଢ଼ି ଚାଲିଥିବା ବାକ୍‌ଯୁଦ୍ଧକୁ ଇନ୍ଧନ ଯୋଗାଇବ।

ଆମେରିକା ସହ ଶକ୍ତିର ସମକକ୍ଷ ହେବା ନିମନ୍ତେ ଆମେ ଆମ ଯାତ୍ରା ଲକ୍ଷସ୍ଥଳର ପ୍ରାୟ ଶେଷ ସୀମାରେ ପହଞ୍ଚି ଯାଇଛୁ ବୋଲି ସେ କହିଛନ୍ତି।
ଆମର ମୁଖ୍ୟ ସ୍ଥିତି ହେଉଛି ଆମ ଆଣବିକ କାର୍ଯ୍ୟକ୍ରମ ସହ ବୁଝାମଣା ହେବା ପରି କୌଣସି ଆଲୋଚନା ସଂକ୍ରାନ୍ତରେ ଆମେ ରାଜି ହେବୁ ନାହିଁ।

ସମ୍ବନ୍ଧିତ ଖବର