ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜୋଙ୍ଗ୍ ନିଜ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋମବାର ପୁଣି ଥରେ ଉତ୍ତର କୋରିଆ ତା'ର ପୂର୍ବ ଜଳସୀମାରେ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏନେଇ ଦକ୍ଷିଣ କୋରିଆ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ନିକ୍ଷେପର ଏହା ଏକ ନୂଆ ଘଟଣା ବୋଲି ଦକ୍ଷିଣ କୋରିଆ କହିଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ ସୋମବାର ଏହି କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରାଯାଇଥିଲା କିନ୍ତୁ ଏହା କେତେ ଦୂର ଯାଏ ଯାଇଥିଲା ତାହା କହିବାକୁ ସେ ମନା କରିଦେଇଛନ୍ତି।

Advertisment

ଦକ୍ଷିଣ କୋରିଆ ସେନା ସୋମବାର କହିଛି ଯେ ଉତ୍ତର କୋରିଆ ଦ୍ୱିତୀୟ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଥିବା ର ପ୍ରମାଣ ମିଳିଛି, କିନ୍ତୁ ଉତକ୍ଷେପଣ ହେବାକୁ ଯାଉଛି ବୋଲି କୌଣସି ସଙ୍କେତ ମିଳିନାହିଁ। ସେପଟେ ଦକ୍ଷିଣ କୋରିଆ ନିକଟରେ ନିଜର ଦ୍ୱିତୀୟ ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିଛି । ଉତ୍ତର କୋରିଆର ସାମରିକ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ଦକ୍ଷିଣ କୋରିଆର ଏହି ସାମରିକ ଉପଗ୍ରହକୁ ବିଶେଷ ଭାବେ ଉତକ୍ଷେପଣ କରାଯାଇଛି।

ଆମେରିକା ଓ ଦକ୍ଷିଣ କୋରିଆ ସହ ଚାଲିଥିବା ବିବାଦ ମଧ୍ୟରେ ଉତ୍ତର କୋରିଆ ନିଜର ସାମରିକ ସାମର୍ଥ୍ୟ ବୃଦ୍ଧି କରିବା ସହିତ ସାମ୍ପ୍ରତିକ ମାସଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ର ଗତିକୁ ତ୍ୱରାନ୍ୱିତ କରିଛି। ଶୁକ୍ରବାର ଦିନ ଉତ୍ତର କୋରିଆ ଏହାର ପଶ୍ଚିମ ଉପକୂଳରେ ଏକ ନୂତନ ଆଣ୍ଟି ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ଏବଂ ଶନିବାର ଏକ ମାରାତ୍ମକ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି।