ଉତ୍ତର କୋରିଆର ଚେତାବନୀ: କେତେବେଳେ ବି ହୋଇପାରେ ଆଣବିକ ଯୁଦ୍ଧ

ଜାତିସଂଘ: ଏକ ଆଣବିକ ଯୁଦ୍ଧ ଜଳ ଜଳ ହୋଇ ଦିଶୁଛି। ତାହା ଯେ କୌଣସି ମୁହୂର୍ତ୍ତରେ ବି ଘଟିପାରେ। ଜାତିସଂଘରେ ଉତ୍ତର କୋରିଆର ଉପରାଷ୍ଟ୍ରଦୂତ କିମ୍‌ ଇନ୍‌ ରେ‍୍ୟାଙ୍ଗ ଏପରି ଚେତାବନୀ ଦେଇଛନ୍ତି। ସମ୍ପ୍ରତି ଆମେରିକା ପ୍ରରୋଚନାରେ କୋରିଆ ଉପଦ୍ୱୀପରେ ଯେପରି ସ୍ଥିତି ଜାରି ରହିଛି, ସେଥିରୁ ସେ ଏଭଳି ଆଶଙ୍କା ଆକଳନ କରୁଥିବା କହିଛନ୍ତି। ଏପରିକି ଉତ୍ତର କୋରିଆ ତାହାର ସମସ୍ତ ଆଣବିକ ଅସ୍ତ୍ରକୁ ସଜାଗ ଏବଂ ନିର୍ଦ୍ଦେଶକୁ ଅପେକ୍ଷା କରି ରଖିଛି।
ଜାତିସଂଘର ଆଣବିକ ନିରସ୍ତ୍ରୀକରଣ ପରିଷଦ ଆଗରେ ରେ‍୍ୟାହ୍ଗ ସଫେଇ ଦେଇ କହିଛନ୍ତି ଯେ, ଉତ୍ତର କୋରିଆ ହିଁ ବିଶ୍ୱର ଏକମାତ୍ର ଦେଶ ଯାହା ନିରବଚ୍ଛିନ୍ନ ଭାବେ ୧୯୭୦ ମସିହାରୁ ଏପରି ସିଧାସଳଖ ତୀବ୍ର ଆଣବିକ ଧମକକୁ ସମ୍ଭାଳି ଆସିଛି। ଫଳରେ ଆତ୍ମସୁରକ୍ଷା ପାଇଁ ହିଁ ତାଙ୍କ ଦେଶ ଆଣବିକ ଅସ୍ତ୍ର ହାସର କରିବାର ଅଧିକାର ରଖିଛି। ତେବେ ଉତ୍ତର କୋରିଆର ପ୍ରାଧାନ୍ୟକୁ ଗୁରୁତ୍ୱହୀନ କରିବା ଲାଗି ଆମେରିକା ଷଡ଼ଯନ୍ତ୍ର ଚଳାଇ ଆସିଛି। ପ୍ରତିବର୍ଷ ଉତ୍ତର କୋରିଆ ନିକଟ ସମୁଦ୍ରରେ ଆମେରିକା ମିଳିତ ସମରାଭ୍ୟାସ ଆୟୋଜନ କରୁଛି। ଏପରି ଗୋପନ ଅଭିଯାନରେ ବ୍ୟାପକ ଅଣୁ ଅସ୍ତ୍ର ମଧ୍ୟ ସାମିଲ ହେଉଛି। ଉତ୍ତର କୋରିଆ ସବୁ ସହି ଆସିଛି। ତେବେ ନାନା ପରୀକ୍ଷା ନିରୀକ୍ଷା ପରେ ଚଳିତ ବର୍ଷ ତାଙ୍କ ଦେଶ ଆଣବିକ ବଳରେ ପୂର୍ଣ୍ଣତା ହାସଲ କରିଥିବା ରେ‍୍ୟାଙ୍ଗ କହିଛନ୍ତି। ବିଭିନ୍ନ ବର୍ଗର ଆଣବିକ ବୋମା, ଉଦ୍‌ଜାନ ବୋମା ସାଙ୍ଗକୁ ଅନ୍ତର୍ଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସତ୍ର ମଧ୍ୟ ଆହରଣ କରିଛି। ସମଗ୍ର ଆମେରିକା ଏବେ ଉତ୍ତର କୋରିଆର ଲକ୍ଷ୍ୟଭେଦ ସୀମା ଭିତରେ ରହିଛି। ସୁତରାଂ ଆମେରିକା ଆମ ପବିତ୍ର ମାଟିରୁ ତିଳେମାତ୍ର ଦଖଲ କରିବାକୁ ପଦକ୍ଷେପ ନେଲେ ତାର ପରିଣାମ ଅତ୍ୟନ୍ତ ଭୟାବହ ହେବ ବୋଲି ରେ‍୍ୟାଙ୍ଗ ଚେତାଇଦେଇଛନ୍ତି।
ଆମେରିକାର ଶତ୍ରୁ ଭଳି ଆଭିମୁଖ୍ୟ ଏବଂ ଆଣବିକ ଧମକ ସମ୍ପୂର୍ଣ୍ଣ ଭାବେ ଦୂର ନହେଲା ଯାଏଁ ଉତ୍ତର କୋରିଆ ଚୁପ୍‌ ହୋଇ ବସିପାରିବନି। ତାଙ୍କ ଦେଶ ବିଶ୍ୱବ୍ୟାପୀ ଆଣବିକ ଅସ୍ତ୍ରର ସାମଗ୍ରିକ ଉତ୍ପାଟନ ଚାହେ। ମାତ୍ର ଆଣବିକ ଅସ୍ତ୍ର ନିରାକରଣ ରାଜିନାମା ପାଇଁ ଗତ ଜୁଲାଇ ମାସରେ ୧୨୨ଟି ଦେଶ ସହମତ ହୋଇଥିବା ବେଳେ ଆମେରିକା ସମେତ ଅନ୍ୟ ଆଣବିକ ଅସ୍ତ୍ର ସଂପନ୍ନ ରାଷ୍ଟ୍ରମାନେ ଏଭଳି ପ୍ରସ୍ତାବକୁ ଦୂରେଇଦେଇଛନ୍ତି। ଏଥି ସହିତ ଆମେରିକା ମଧ୍ୟ ଗୁଣ୍ଡାଗିରି ଦେଖାଇ ନିରନ୍ତର ଆଣବିକ ଅସ୍ତ୍ରର ଧମକ ଦେଇଚାଲିଛି। ତେଣୁ ଏହାର ଜବାବ ମଧ୍ୟ ଉତ୍ତର କୋରିଆ ଦେବ ବୋଲି ରେ‍୍ୟାଙ୍ଗ ଜାତିସଂଙକୁ କହିଛନ୍ତି।

ସମ୍ବନ୍ଧିତ ଖବର