ପୋଙ୍ଗୟାଙ୍ଗ: ୟୁକ୍ରେନ ବିରୋଧରେ ଲଢ଼ିବା ପାଇଁ ଉତ୍ତର କୋରିଆ ରୁଷ୍କୁ ୫୦ ହଜାର ସ୍ବେଚ୍ଛସେବୀଙ୍କୁ ସୈନିକ ଭାବେ ଯୋଗାଇ ଦେବ। ଉତ୍ତର କୋରିଆ ଏ ନେଇ ପ୍ରସ୍ତୁତି ଚଳାଇଛି ବୋଲି ରୁଷ୍ର ସରକାରୀ ଟିଭି ଆଧାରରେ ୟୁରେସିଆ ଟାଇମ୍ସ ରିପୋର୍ଟରେ କୁହାଯାଇଛି। ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣକୁ ପୂର୍ଣ୍ଣମାତ୍ରାରେ ଉତ୍ତର କୋରିଆ ସମର୍ଥନ କରୁଛି। ସାମ୍ବାଦିକ ଆଲେକଜାଣ୍ଡର ସ୍ଲାଦକୋଭଙ୍କ କହିବାନୁଯାୟୀ, ଯୁଦ୍ଧରେ ଅଂଶଗ୍ରହଣ କରିବା ପାଇଁ ଉତ୍ତର କୋରିଆ ସୈନ୍ୟ ପଠାଇବାକୁ ରାଜି ଅଛି। ଅତିକମ୍ରେ ୫୦ ହଜାର ଉତ୍ତର କୋରିଆର ସୈନ୍ୟ ରୁଷ୍ ସେନାକୁ ସହଯୋଗ କରିବା ଲାଗି ପ୍ରସ୍ତୁତ ଅଛନ୍ତି। ଯୁଦ୍ଧରେ ଯୋଗଦେବା ପାଇଁ ଉତ୍ତର କୋରିଆ ସ୍ବେଚ୍ଛାସେବୀମାନଙ୍କୁ ଆହ୍ବାନ କରିଛି। ସାମ୍ବାଦିକଙ୍କ ଦାବି ମୁତାବକ ୮ ଲକ୍ଷ ଲୋକ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ପୂର୍ବରୁ ଆମେରିକା ଦର୍ଶାଇଥିଲା ଉତ୍ତର କୋରିଆ ରୁଷ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି। ସେହି ଅସ୍ତ୍ରଶସ୍ତ୍ରକୁ ରୁଷ୍ ୟୁକ୍ରେନରେ ବ୍ୟବହାର କରୁଛି। ତେବେ ଏହି ଦାବିକୁ ଉଭୟ ଉତ୍ତର କୋରିଆ ଏବଂ ରୁଷ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୟୁକ୍ରେନ ଉପରେ ରୁଷ୍ ଗତବର୍ଷ ଫେବ୍ରୁଆରି ମାସରୁ ଆକ୍ରମଣ ଜାରି ରଖିଛି। ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯୁଦ୍ଧ ବନ୍ଦ ହୋଇନାହିଁ।