ନିଜ ଝିଅ ସହ ସର୍ବସାଧାରଣରେ ଦେଖାଦେଇ ପରମାଣୁ ଆକ୍ରମଣ ଧମକ ଦେଲେ କିମ୍ ଜଙ୍ଗ୍

ସିଓଲ : ପୁଣି ଥରେ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି ଉତ୍ତର କୋରିଆର ଶାସନ କିମ ଜଙ୍ଗ ଉନ । ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଇଇଜେଡ୍ )ରେ ପଡ଼ିଥିବା ଏକ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ନେତା କିମ୍ ଜଙ୍ଗ-ଉନ୍ ଏହି ଧମକ ଦେଇଛନ୍ତି । ଗୁରୁବାରଦିନ ସେ ପ୍ରଥମ ଥର ପାଇଁ ନିଜ ଝିଅ ସହ ସର୍ବସାଧାରଣରେ ଦେଖାଦେଇ ଏହି ଚେତାବନୀ ଶୁଣାଇଥିଲେ ।

ବିଗତ କିଛି ମାସ ହେଲା ତାଙ୍କ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଉଥିବାବେଳେ ସର୍ବସାଧାରଣରେ ବାହାରି ସେ ଉକ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି । ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି କହିଛି, “କିମ୍ ଜଙ୍ଗ-ଉନ୍ ଗୁରତ୍ବର ସହ ଘୋଷଣା କରିଛନ୍ତି ଯେ ଯଦି ଶତ୍ରୁମାନେ ଧମକ ଦେବା ଜାରି ରହନ୍ତି… ଆମ ଦଳ ଏବଂ ସରକାର ପରମାଣୁ ଅସ୍ତ୍ର ଶସ୍ତ୍ର ସହିତ ତାହାର ଚରମ ଜବାବ ଦେବେ” । ଗୁରୁବାର ଦିନ ତାଙ୍କ ଝିଅ ଏବଂ ପତ୍ନୀଙ୍କ ସହ କ୍ଷେପଣାସ୍ତ୍ର ଉତ୍ କ୍ଷେପଣରେ ଯୋଗ ଦେଇଥିଲେ ।

ଗୁରୁବାରଦିନ ଉତ୍ତରକୋରିଆ ପକ୍ଷରୁ  ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାର ଦିନକ ପରେ ଅର୍ଥାତ ଶୁକ୍ରବାରଦିନ ଜାପାନ ଓ ଆମେରିକା ଉତ୍ତରକୋରିଆ ଜଳସୀମା ନିକଟରେ ସାମରିକ ଅଭ୍ୟାସ କରିଥିଲେ । ଏହା ପରେ ହିଁ ଉତ୍ତରକୋରିଆ ପକ୍ଷରୁ ଏହି ଧମକ ଦିଆଯାଇଛି ।

ସମ୍ବନ୍ଧିତ ଖବର