ଜାପାନ ଜଳରାଶିରେ ପଡ଼ିଛି ଉତ୍ତର କୋରିଆ କ୍ଷେପଣାସ୍ତ୍ର: ପ୍ରଧାନମନ୍ତ୍ରୀ କିଶିଦା

ଟୋକିଓ: ‘ଅନନ୍ୟ ଆର୍ଥିକ କ୍ଷେତ୍ର’ (ଏକ୍ସକ୍ଲୁସିଭ୍‌ ଇକୋମିକ୍‌ ଜୋନ୍‌) କୁହାଯାଉଥିବା ଜାପାନର ଉତ୍ତରାଞ୍ଚଳ ଅନ୍ତର୍ଗତ ହୋକ୍କାଇଡୋ ଉପକୂଳ ଜଳରାଶି ମଧ୍ୟରେ ଉତ୍ତର କୋରିଆର ଗୋଟାଏ କ୍ଷେପଣାସ୍ତ୍ର ପଡ଼ିଥିବା କଥା ଆଜି ଜାପାନୀ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି।

ବ୍ୟାଙ୍ଗ୍‌କକ୍‌ରେ ସାମ୍ବାଦିକମାନଙ୍କୁ କିଶିଦା କହିଛନ୍ତି, ଉତ୍ତର କୋରିଆ ନିକ୍ଷେପ କରିଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରଟି ହୋକ୍କାଇଡ଼ୋର ପଶ୍ଚିମ ପ୍ରାନ୍ତରେ ଥିବା ଆମ ‘ଅନନ୍ୟ ଆର୍ଥିକ କ୍ଷେତ୍ର’ ମଧ୍ୟରେ ପଡ଼ିଥିବା ପରି ମନେହେଉଛି। ଏହାର ପ୍ରଭାବରେ ଯୁଦ୍ଧପୋତ କି ଲଢୁଆ ବିମାନର କୌଣସି କ୍ଷତି ହୋଇଥିବା ରିପୋର୍ଟ ମିଳି ନ ଥିଲେ ବି, ଏ ଭଳି ଉତ୍‌କ୍ଷେପଣ ଅସହ୍ୟ। ଅକାରଣରେ ବାରମ୍ବାର ‌ଅକାରଣରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଥିବାରୁ ଆମେ ଉତ୍ତର କୋରିଆ ବିରୋଧରେ ତୀବ୍ର ପ୍ରତିବାଦ କରିବା ସ୍ବାଭାବିକ କଥା। ଏଭଳି କାର୍ଯ୍ୟକୁ ଆମେ ବରଦାସ୍ତ କରିପାରିବୁ ନାହିଁ ବୋଲି ଆମେ ପିଓଙ୍ଗ୍ୟାଙ୍ଗ୍‌କୁ କହି ଦେଇଛୁ।

Image Courtesy of Deccan Herald

ସୂଚନାଯୋଗ୍ୟ, ‘ଏସିଆ-ପାସିଫିକ୍‌ ଇକୋନୋମିକ୍‌ କୋଅପରେସନ୍‌’ ଶିଖର ସମ୍ମିଳନୀ ନିମନ୍ତେ କିଶିଦା ଥାଇଲାଣ୍ଡ୍‌ ଗସ୍ତରେ ଅଛନ୍ତି। ତାଙ୍କର ଉପରୋକ୍ତ ମନ୍ତବ୍ୟର ‘ଲାଇଭ୍’ ଜାପାନ ଟେଲିଭିଜନ୍‌ରେ ପ୍ରସାରିତ ହୋଇଛି।

ସବିଶେଷ ବିବରଣ ନ ଦେଇ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ଦକ୍ଷିଣ କ‌ୋରିଆର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଆଜି ଉତ୍ତର କୋରିଆ ଗୋଟାଏ ‘ଆଇସିବିଏମ୍‌’ ନିକ୍ଷେପ କରିଥିବା ଜଣାପଡୁଛି।

ସମ୍ବନ୍ଧିତ ଖବର