ମସ୍କୋ: ୟୁକ୍ରେନରେ ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ପ୍ରୟାସକୁ ସମର୍ଥନ କରି ହଜାର ହଜାର ଉତ୍ତର କୋରିଆ ସୈନିକ ନିଜ ଜୀବନକୁ ବଳି ଦେବାକୁ ଆଗେଇ ଆସିଥିବା ଜଣାପଡିଛି। ତେବେ ମସ୍କୋ ପ୍ରତି ପ୍ୟୋଙ୍ଗୟାଙ୍ଗର ଆଶ୍ଚର୍ଯ୍ୟଜନକ ଆନୁଗତ୍ୟକୁ ନେଇ ପ୍ରଶ୍ନ ଉଠିଛି: ଏହା ଆଦର୍ଶ, ନିରାଶା କିମ୍ବା ଏକ ସୁଚିନ୍ତିତ ଭୂ-ରାଜନୈତିକ ରଣନୀତି ଦ୍ୱାରା ପରିଚାଳିତ କି? ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍ ଉନ୍‌ଙ୍କ ପାଇଁ ରୁଷ୍ ସହ ମେଣ୍ଟ କରିବା ଏକାଧିକ ରଣନୈତିକ ଉଦ୍ଦେଶ୍ୟ ପୂରଣ କରିଥାଏ। ମସ୍କୋ ସହ ଉତ୍ତର କୋରିଆର ଗଭୀର ସମ୍ପର୍କ ଏହାକୁ ଉନ୍ନତ ଜ୍ଞାନକୌଶଳ ଭଳି ଅତ୍ୟାବଶ୍ୟକ ସମ୍ବଳ ଉପଲବ୍ଧ କରାଇବ, ଯାହା ଅନ୍ତର୍ଜାତୀୟ କଟକଣା ଅଧୀନରେ ଦେଶକୁ ଅତ୍ୟନ୍ତ ଆବଶ୍ୟକ। 

Advertisment

ରୁଷ୍‌କୁ ଖୋଲାଖୋଲି ସମର୍ଥନ କରି ପ୍ୟୋଙ୍ଗୟାଙ୍ଗ ନିଜକୁ ଏକ ବିଶ୍ୱସ୍ତରୀୟ ଖେଳାଳି ଭାବେ ପ୍ରତିଷ୍ଠିତ କରାଇବା ସହ ପାଶ୍ଚାତ୍ୟ ଶକ୍ତିମାନଙ୍କୁ ଟକ୍କର ଦେବାର ସାହସ ଜୁଟାଇପାରିଛି। ତେବେ କ’ଣ ପାଇଁ ଉତ୍ତର କୋରିଆ ସୈନିକମାନେ ଏଭଳି ବଳିଦାନ ପାଇଁ ପ୍ରସ୍ତୁତ ହେଉଛନ୍ତି? ଅନେକଙ୍କ ପାଇଁ ରୁଷ୍ ଯୁଦ୍ଧରେ ଅଂଶଗ୍ରହଣ ଏକ ଦେଶପ୍ରେମମୂଳକ କର୍ତ୍ତବ୍ୟ ଭାବରେ ପ୍ରସ୍ତୁତ କରାଯାଇଛି। ଉତ୍ତର କୋରିଆ ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ସପକ୍ଷରେ ସେମାନଙ୍କ ସମ୍ପୃକ୍ତିକୁ ମହିମାମଣ୍ଡିତ କରି ପ୍ରଚାର କରୁଛି ଏବଂ ଏହାକୁ ସେମାନଙ୍କ ଦେଶ ଓ ନେତାଙ୍କ ପ୍ରତି ଆନୁଗତ୍ୟ ଭାବେ ପ୍ରଦର୍ଶନ କରାଯାଇଛି। ତେବେ ବିଶ୍ଳେଷକମାନେ ଆଉ ଏକ ଅନ୍ଧାର ବାସ୍ତବତାକୁ ସାମନାକୁ ଆଣିଛନ୍ତି। ଅନେକ ସୈନିକଙ୍କୁ କୁହାଯାଇଛି, ସେମାନେ ରୁଷ୍‌ ପାଇଁ ଯୁଦ୍ଧକୁ ଗଲେ ତାଙ୍କ ପରିବାରର ଉନ୍ନତ ଯତ୍ନ ନିଆଯିବ। ସେମାନଙ୍କୁ ନିର୍ଯାତନା ଦିଆଯିବ ନାହିଁ। ଅତ୍ୟଧିକ ଦାରିଦ୍ର୍ୟରେ ରହୁଥିବା ବ୍ୟକ୍ତିମାନେ ନିଜ ପରିବାର ପାଇଁ ବାଧ୍ୟ ହୋଇ ସରକାରଙ୍କ କଥା ମାନୁଛନ୍ତି। କେତେକଙ୍କ ପାଇଁ ଯୁଦ୍ଧ ପ୍ରୟାସରେ ସାମିଲ ହେବା ଦ୍ୱାରା କିମ୍ ଜଙ୍ଗ୍ ଉନ୍‌ଙ୍କ ଅତ୍ୟାଚାରକାରୀ ଶାସନରୁ ମୁକ୍ତି ମିଳିଥାଏ। ତେବେ ନିଜର ଭୂ-ରାଜନୈତିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ପ୍ୟୋଙ୍ଗୟାଙ୍ଗ କେତେ ଦୂର ଯାଇପାରେ ତାହା ଏହି ମେଣ୍ଟ ସୂଚାଇ ଦେଉଛି। ଆଦର୍ଶଗତ ପ୍ରୋତ୍ସାହନ ଦ୍ୱାରା ପରିଚାଳିତ ଆନୁଗତ୍ୟଠାରୁ ଆରମ୍ଭ କରି ଦାରିଦ୍ର୍ୟରୁ ଜନ୍ମିତ ହତାଶା ପର୍ଯ୍ୟନ୍ତ, ରୁଷ୍‌ ଯୁଦ୍ଧରେ ଉତ୍ତର କୋରିଆ ସୈନିକଙ୍କ ଅଂଶଗ୍ରହଣ ଆଧୁନିକ ମେଣ୍ଟର ଏକ ଅନ୍ଧାର ଦିଗକୁ ପ୍ରକାଶ କରେ। କିମ୍ ଜଙ୍ଗ୍ ଉନ୍ ଓ ଭ୍ଲାଦିମିର ପୁଟିନ୍ ନିଜ ଭାଗୀଦାରିକୁ ସୁଦୃଢ଼ କରୁଥିବା ବେଳେ ବିଶ୍ୱ ସୁରକ୍ଷା ପ୍ରତି ବିପଦ ବଢ଼ିଯାଇଥିବା ବିଶ୍ଳେଷକମାନେ ଅନୁଭବ କରୁଛନ୍ତି।